ପାର୍ବଣେ ଦଶଭୂଜା
ପାର୍ବଣେ ଦଶଭୂଜା
ଦେବୀ ଷୋଳପୂଜା ପାଇଁ ସାଜ ସଜା
ହୋଇ ଧରିତ୍ରୀ ସୁନ୍ଦର
ପାର୍ବଣ ଲଗନ ଦେବୀ ଷୋଳଦିନ
ଷୋଳ ପୁଜା ଉପଚାର
ଧରି ୟେ ଶରତ କାଳ
ହେଲା ଉପଗତ ସତେକି ଶୋଭିତ
ବନ ଅଳକା ପୁରୀର ।।
ମଣିମୟ ବେଦୀ ପରେ ମହାଦେବୀ
ସଙ୍ଗେ ସର୍ବ ସୁରଗଣ
ହସ୍ତେ ଶୂଳ ଶକ୍ତି ବିଜେ କରିଛନ୍ତି
ହୋଇ ଧରାବତରଣ
ପୁଲକିତ ମନ, ପ୍ରାଣ
ଅୟି ଦେବଦେବୀ ପରମ ବୈଷ୍ଣବୀ
କର ମହିଷା ମର୍ଦ୍ଦନ ।।
ଟମକ ନିଶାଣ ବାଜେ ଘନ ଘନ
ବାଜଇ ଯୋଡ଼ି ମହୁରୀ
ହରିବୋଲ “ହୁଳ- ହୁଳି” ରେ ଉଛୁଳି
ଯାଉଅଛି ତିନି ପୁରୀ
ବୈଦିକ ମନ୍ତ୍ରକୁ ସ୍ମରି
ପଣ୍ଡିତ ବ୍ରାହ୍ମଣେ ମନ୍ତ୍ର ଆବହନେ
ଆସ ଦେବୀ ଅବତରୀ ।।
ତବ ଆଗମନେ ଉତ୍ସୁକ ନୟନେ
ନର, ଗନ୍ଧର୍ବ, କିନ୍ନର
ଅୟି ଶୈଳସୁତା ଧୁର୍ଜଟି ବନିତା
ଦୁଃଖ, ଶୋକ ଦୂର କର
ଦୋଦୁଲ୍ୟମାନ ଅସ୍ଥିର
ହେଉଅଛି ମହୀ ଆଗୋ ଦୟାମୟୀ
ଏଥିରୁ ଉଦ୍ଧାର କର ।।
