STORYMIRROR

Sudhansu Kumar Tripathy

Inspirational Others

4  

Sudhansu Kumar Tripathy

Inspirational Others

ପାଞ୍ଚାଳି ବିଳାପ

ପାଞ୍ଚାଳି ବିଳାପ

1 min
235


କମଳା ରମଣ ପ୍ରଭୁ କମଳ ଲୋଚନ

ଆତୁର କଣ୍ଠ ରେ ପ୍ରଭୁ କରେ ନିବେଦନ

ନାରାୟଣ ହେ……….

ବାରେ କର୍ଣ୍ଣେ ଶୁଣ ମୋ’ ଜଣାଣ …ହେ।।୧।।


ଗଜ ଡାକେ ଚକ୍ରେ ନକ୍ର କରିଛ ତାରଣ

ଜଗତେ ବାଜୁଛି ବାଜା ଗଜଉଦ୍ଧାରଣ,

ଆର୍ତ୍ତତ୍ରାଣ ହେ………..

ଆକୁଳେ ମୁଁ କରୁଛି କ୍ରନ୍ଦନ …..ହେ।।୨।।


ତ୍ରେତୟା ରେ ବିଭୀଷଣ ପଶିଲା ଶରଣ

ଶରଣ ରକ୍ଷଣ ତାଙ୍କୁ କଲ ନୃପରାଣ,

ମୋ ଶରଣ ହେ…………

ରଖିଲେକି ହେବ ଅପମାନ….ହେ।।୩।।


ସହି ନପାରିଲ ବନେ ମୃଗୁଣୀ କଷଣ

ଉଦ୍ଧରିଲ ବିପତ୍ତିରୁ ଯାଇ ତତକ୍ଷଣ

କି କାରଣ ହେ………

ଦେଉଅଛ ମୋତେ ଏ କଷଣ ……ହେ।।୪।।


ଭରାସଭା ମଧ୍ୟେ ଆଜ ହେଲି ହୀନିମାନ

ଜ୍ୟେଷ୍ଠ ଶ୍ରେଷ୍ଠ ଥାଇ ସର୍ବେ ରହିଲେ ମଉନ

ନାରାୟଣ ହେ…………

ନରଖିଲେ ଯିବ ସତୀ ପଣ …….ହେ।।୫।


ବିବସନ କରେ ଆଜ ପାପୀ ଦୁଃଶାସନ

ଆତୁରେ ଡାକୁଛି ପ୍ରଭୁ ଡାକ କି’ ନଶୁଣ

ସୁରରାଣ ହେ………..

ପାଞ୍ଚପତି ଥାଇ ଅକାରଣ……. ହେ।।୬।।


କପଟ କରୁଛ କିବା ରଖି କେଉଁ ମାନ

ଅଟ୍ଟହାସ୍ଯ କରେ ମନ୍ଦମତି କୁରୁରାଣ,

ଭଗବାନ ହେ…….

କ୍ଷମତା ସଭିଙ୍କ ଆଜ ମ୍ଳାନ ……..ହେ।।୭।।


ନରଖିବ ଯଦି ଆଜ ପତିତପାବନ

କାହିଁ ଉଡାଉଛ ବାନା ପତିତପାବନ

ନିରଞ୍ଜନ ହେ……

କଳଙ୍କିତ ହେବ ସେ କେତନ …..ହେ।।୮।।


ଯୁଗେ ଯୁଗେ ନାରୀ ଏଠି ପାଏ ଅପମାନ

ଇତିହାସ କହେ ତାକୁ ଦୋଷ ର କାରଣ

କି’କାରଣ ହେ……….

ଧରାଧାମେ ଦେଲ ନାରୀ ଜନ୍ମ ……..ହେ।।୯।।


ହେଲି ଉର୍ଦ୍ଧ୍ଵ ବାହୁ ଆଜ ଦିଅ ଦରଶନ

ପଥର ନହୁଅ ପ୍ରଭୁ ଜଗତ ଜୀବନ

ପରିତ୍ରାଣ ହେ………..

କେ ରଖିବ ତୁମ କୃଷ୍ଣା ମାନ ……ହେ।।୧୦।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational