ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳା ଗୋ ପଚାରିବୁଝିନା କେବେ କାର ପରିଚୟ
ପଡିଅଛି ଯେତେ ପାଦଚିହ୍ନ ତବ କୋଳରେ ପାଇ ଆଶ୍ରୟ
ପତିତ କି ଅବା ପବିତ୍ର ସେ ଆତ୍ମା ନିର୍ବିକାର ଅଛ ରହି
ପାଛୋଟି ନେଇଛ କିଛି କ୍ଷଣ ପାଇଁ ପାଇବାର ଆଶା ନାହିଁ ।
ପୀଡିତ କରିଛି ପୀଡା ଉପଶମ ତୁମରି ଆଶରା ତଳେ
ପଥିକ ଲଭିଛି ପରମ ଆନନ୍ଦ କ୍ଳାନ୍ତି ମେଣ୍ଟେଇବା ବେଳେ
ପରାଣ ପରାଶ ଘେନିଛନ୍ତି ଜନ କଉତୁକ କୁତୁହଳେ
ପଡିଅଛ ଏକା ସାକ୍ଷୀ ସିନା ଆଗୋ ପ୍ରତିକ୍ରିୟା ନାହିଁ ତିଳେ ।
ପ୍ରାଣ ପ୍ରିୟତମା କେ ଘେନି ଆସିଛି କରିଛନ୍ତି କେତେ ରାସ
ପ୍ରିୟ ବିହୁନରେ ବିଧୁରା ବାହୁନି ସହିଅଛି କେତେ କ୍ଳେଶ
ପରିବାର ପରିତ୍ୟକ୍ତ ହୋଇ କେତେ ଆତୁରେ କାନ୍ଦନ୍ତି ଆସି
ପଡିଅଛ ତୁମେ ସନ୍ନ୍ୟାସିନୀ ସମ ଯାଏ ଆସେ ନାହିଁ କିଛି ।
ପରାଚୀ ଗଗନୁ ରବି ନ ଦିଶୁଣୁ ମାଗି ଗୋ ତୋତେ ବିଦାୟ
ପାଉଣାରେ ମାତି ରାତିକର ସାଥି ଯେଝା ବାଟେ ରଖି ଲୟ
ପ୍ରତ୍ୟାଶା କରିନ ହିସାବ ରଖିନ କିଏ ଗଲା କେଉଁ ଥାନେ
ପାରିନାହିଁ କାର ସୁଖଦୁଃଖେ ଭାଗୀ ହୋଇଗୋ ରହି ବିଜନେ ।
ପାନ୍ଥଶାଳା ତେଣୁ ଯୁଗଯୁଗ ପାଇଁ ରହିଛ ଶାଶ୍ଵତ ହୋଇ
ପବିତ୍ର ହୋଇଛ ବିଷୟାବାସରୁ ନିଜେ ଗୋ ଦୂରେଇ ଯାଇ
ପ୍ରୀତିର ମଦିରା ଢାଳନାହିଁ କାରେ କା ସାଥେ ମଇତ୍ରୀ ବାନ୍ଧି
ପଡୁଛି ପୟରେ ସେଇ ଚେତନାରେ ମୋ ପ୍ରାଣ ଦିଅ ଗୋ ଛନ୍ଦି ।