ପାହାନ୍ତି ସ୍ଵପ୍ନ
ପାହାନ୍ତି ସ୍ଵପ୍ନ
ପାହାନ୍ତି ପ୍ରହରେ କେବେ କେବେ ଥରେ,
ସ୍ଵପ୍ନଟିଏ ଦିଶେ ଭଙ୍ଗା ନିଦରେ I
ସତ ହେବ ବୋଲି ଆଶା ଭରେ ମନେ,
ସ୍ପନ୍ଦନ ଟିକିଏ ବଢ଼େ ହୃଦରେ I
ପୁଷ୍ପିତ ବସନ୍ତେ ବନ ପଥ ଧାରେ,
କୁସୁମ ସଜିତ କେଶ ବିନ୍ୟାସ,
ବସିଥାଏ ଧରି ମୌନତା ଅଧରେ,
ସତେ ଯେମିତି ତାହାର ଅଭ୍ୟାସ I
ଡାକ ଦେଇ ତାକୁ ନାମ ଜାଣିବାକୁ,
ଉଚ୍ଛନ ହୁଏ ଭାବଭରା ମନ,
ବର୍ଜିତ ହେବାର ଭୟ ଖେଳେ ହୃଦେ,
ଭଗ୍ନ ହେବ ଭାବେ ଇପ୍ସିତ ସ୍ଵପ୍ନ I
ଅଳସୀ ଶେଜର ଉଷ୍ଣତା ଆଦରି,
ଆଉ କିଛି କ୍ଷଣ କରେ ପ୍ରୟାସ,
କାଳେ ଚାହିଁ ଦେବ ଫେରିକି ରୂପସୀ,
ହେବ ତାହାର ରୂପର ଆଭାସ !
