ପାହାଡ
ପାହାଡ


ଏଇ ଯେ ଦୂର ପାହାଡ ତଳେ
ଆମରି ଛୋଟ ଗାଁ
ପାହାଡ ଆମ ସାହା ଭରସା
ପାହାଡ ଆମ ମାଆ ।
ପାହାଡ଼ ଆମ ଭାରି ସୁନ୍ଦର
ବଣ ଜଙ୍ଗଲେ ଭରା
ସବୁ ଋତୁରେ ବଦଳେ ରୂପ
ଦିଶଇ ଭାରି ତୋରା ।
ବରଷା ମାସେ ବଉଦ ଭାସି
ପାହାଡେ ପିଟେ ମଥା
ଶୀତଳ ହୋଇ ମେଘ ବଖାଣେ
ବରଷା ରାଣୀ କଥା ।
ଶୀତ ଆସିଲେ ପାହାଡ ସାରା
ଫୁଟେ ଅଳସୀ ଫୁଲ
ସୁନା ରଙ୍ଗରେ ରଙ୍ଗେଇ ହୋଇ
ଦିଶଇ ଝଲମଲ ।
ପଳାସ ଫୁଲ ଫୁଟଇ ଯେବେ
ନାଲି ମୁରୁଜ ବୁଣି
ପାହାଡ ଆମ ଦୂରରୁ ନିଏ
ସବୁ ମନକୁ କିଣି ।
ଫଗୁଣ ହସେ ମହୁଲ ବାସେ
ପାହାଡ ଦିଶେ ନାଲି
ଗୋଟେଇ ଆଣୁ ମହୁଲ ଟୋଲ
ପାହାଡ ସାରା ବୁଲି ।
ପାହାଡୁ ଆସେ ଝରଣା ଝରି
କ୍ଷେତକୁ ଦିଏ ପାଣି
କ୍ଷେତ ପାଲଟେ ସାରା ବରଷ
ସୁନା ଫସଲ ଖଣି ।
ମୋ ଗାଁ ଲୋକେ ପାହାଡ ବୁଲି
ଆଣନ୍ତି ନିତି ତୋଳି
ପିଚିଲା କୋଳି ପାଚିଲା ଫଳ
କେତେଯେ ଚେରମୂଳି ।
ତାଙ୍କଠୁ ସେହି ଚେରମୂଳିକୁ
ବଇଦ ବୁଢା ନିଏ
ଯତନେ ତାକୁ ବାଟି କୁଟି ସେ
ଓଷଦ କରି ଥାଏ ।
ଫଳ ମୂଳରେ ଜୀବନ ଆମ
ଚେର ମୂଳ ତ ସାହା
ବଣ ପାହାଡ ବଞ୍ଚିବା ପାଇଁ
ଦେଖାଏ ନିତି ରାହା ।
ମୋ ଗାଁ ଲୋକ ଗରିବ ସିନା
ସରଳ ତାଙ୍କ ମନ
ପାହାଡେ ନାଚି ହସ ଖୁସିରେ
କଟଇ ତାଙ୍କ ଦିନ ।