STORYMIRROR

NIBEDITA MOHAPATRA

Inspirational

3  

NIBEDITA MOHAPATRA

Inspirational

ପାହାଡ

ପାହାଡ

2 mins
169

ସଗ‌ଉରବେ ଦଣ୍ଡାୟମାନ

ଦୂର ଦିଗ୍ ବଳୟକୁ ଛୁଇଁ

ଆହାଃ କି ମନଲୋଭା ‌ଦିଶ‌ଇ

ତୁମ ସବୁଜ ସୁନ୍ଦର ଭୂଇଁ।


ବକ୍ଷଟି ସିନା ବନ୍ଧୁର ତୁମ

ହୃଦୟେ ଝର‌ଇ ମନ୍ଦାକିନୀ

କେତେ ଲତା ପାଦପଗଣଙ୍କୁ

ଧରି ହୋଇଛ ସୌନ୍ଦର୍ଯ୍ୟେ ଧନୀ।


ସାଧନା ମଗ୍ନ ଯୋଗୀଟି ପରି

ରହି ସଦା ଅଟଳ ନିଶ୍ଚଳ

ସାଜିଛ ତୁମେ ଏଇ ଜଗତେ

ପ୍ରାକୃତିକ ସୁଷମାର ବଳ।


ପୂରୁବ ଦିଗରେ ଉଇଁଲେ ସୂର୍ଯ୍ୟ

ସ୍ପର୍ଶ କରି ତୁମରି ଶିଖର 

ଲୋହିତ କିରଣେ ମୁଖରିତ

ହୁଅଇ ଏ ସମଗ୍ର ସଂସାର।


ସନ୍ଧ୍ୟା ସମୟେ ଫେରିଲେ ରବି

ମମତାମୟୀ ମାଆ କୋଳକୁ

ସେ ରକ୍ତିମ ଆଭା ଝଲସିତ

କରିଦିଏ ତୁମ ସ୍ବରୂପକୁ।


ଶୁଭ୍ର ତୁଷାରରେ ଆଚ୍ଛାଦିତ

ଯେବେ ହୋଇଯାଏ କଳେବର

ଅପୂର୍ବ ସେ ରୂପର ବିଭବ

ଲାଗ‌ଇ ସତେ କି ମନୋହର।


ଗର୍ଭୁ ତୁମର ବିଚ୍ୟୁତ ହୋଇ

ଚିରସ୍ରୋତା କଲ୍ଳୋଳିନୀ ଧାର

ବିତରି ସଞ୍ଜିବନୀ ସୁଧାକୁ

କରି ଦିଅଇ ପ୍ରାଣ ସଂଚାର।


କେତେ କେତେ ଔଷଧୀୟ ଗୁଳ୍ମ

କେତେ ଦୁର୍ମୂଲ୍ୟ ବନସ୍ପତିକୁ

ନିଜ କୋଳରେ ଦେଇ ସାହାରା

କରିଛ ଯେ ଆପଣାର ତାଙ୍କୁ।


ଭୁଲିଛି ଆଜି ମଣିଷ ଜାତି

ଶ୍ରେଷ୍ଠ ଧରମ ମାନବିକତା

ସ୍ବାର୍ଥ ହାସଲ କରିବା ପାଇଁ

ନଷ୍ଟ କରେ ତୁମ ସୁନ୍ଦରତା।


ସବୁ ଯାତନା ନେଉଛ ସହି

କରୁ ନାହଁ କେବେ ପ୍ରତିବାଦ

ସ୍ଥିର ସଦା ତୁମେ ନିଜ ସ୍ଥାନେ

ଆସୁ ପଛକେ ଯେତେ ବିପଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational