ସମୁଦ୍ର
ସମୁଦ୍ର
ଦିଗନ୍ତ ବିସ୍ତାରୀ ତା' ନୀଳ ଜଳରାଶିରେ
ଉତ୍ତାଳ ତରଙ୍ଗାୟିତ ଢେଉ ନାଚି ନାଚି
ଉଲ୍ଲସିତ ଚିତ୍ତେ ପ୍ରାପ୍ତିର ଅଭିଳାଷରେ
ନାନା ଭଙ୍ଗୀମାରେ ଆସି ପୁଣି ଫେରିଯାଏ
ଛୁଇଁ ସେ ବେଳାଭୂମିର ବାଲୁକା ଶର୍ଯ୍ୟାକୁ ।
ଉଦିତ ତପନ ଅରୁଣିମା ହେଉ ଅବା
ଅସ୍ତାଚଳ ଗାମୀ ବେଳା ଲୋହିତ ଆଭାରେ
କେବେ ଦିଗ୍ ବଳୟରେ ଏକାକାର ହୋଇ
ଉପଲବ୍ଧି କରିବାକୁ ପରମାନନ୍ଦର
ପ୍ରଚେଷ୍ଟାରେ ସେ ମଗ୍ନ ରହିଛି ବର୍ଷ ବର୍ଷ ।
ରତ୍ନାକର ସେ ଅମାପ ରତ୍ନର ଭଣ୍ଡାର
ତା' ଗରଭେ ପୁଣି କେତେ ପ୍ରାଣୀଙ୍କ ଆଗାର
ଲୀନ କରିଦେଇ ନିଜ ମଧ୍ୟେ ନଦୀ ହ୍ରଦ
ବିଶାଳ ହୃଦୟେ କରି ତାଙ୍କୁ ଆପଣାର
ପାଉଛି ସେ ତ ଜଗତରେ କେତେ ଆଦର।
କେବେ ନିର୍ଲୋଭତା ପ୍ରତୀକର ସ୍ବରୂପେ
କାହାରି ଠାରୁ କିଛି ବି ଗ୍ରହଣ ନ କରି
ତରଙ୍ଗରେ ଭସାଇ ନେଇଥିବା ଅନ୍ୟର
ବସ୍ତୁକୁ ଫେରାଇ ଦେଇ ଭରି ଦେଇଥାଏ
ସଭିଙ୍କର ମନରେ ଅଫୁରନ୍ତ ଆନନ୍ଦ।
ପୁଣି କେବେ ଧାରଣ କରି ଉଗ୍ରରୂପକୁ
ଭୟଙ୍କର ବିଧ୍ବଂସକ ସାଜି କୂଳ ଲଙ୍ଘି
ମାଡ଼ି ଆସି ଛାରଖାର କରି ଦେଇଥାଏ
ନିରୀହ ପ୍ରାଣୀଙ୍କ ପରିବେଶ ଓ ବସତି
ନିଶ୍ଚିହ୍ନ କରିଦିଏ ତାଙ୍କରି ସବୁ ଖୁସି।