ବନ୍ଦୀ
ବନ୍ଦୀ
ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ
ଜାଣିନି କେଉଁ ଅପରାଧରେ ମତେ
ବଞ୍ଚିବାକୁ ପଡୁଛି ବନ୍ଦୀ ଜୀବନ
ସାମାଜିକ ବନ୍ଧନରୁ ଦୂର ହୋଇ
ଏକାକିନୀ ଅତି ସନ୍ତର୍ପଣେ ଘୁରେ
ଲୌହ ଶୃଙ୍ଖଳରେ ଘେରା ଏ ଗୃହରେ
ମାନ ଅଭିମାନ ପର ଆପଣାର
ଭାବନାରୁ ରଖି ନିଜକୁ ଉର୍ଦ୍ଧ୍ବରେ
ବଞ୍ଚିଛି ମୁଁ ଏଠି କ୍ଷୁଦ୍ର ପ୍ରତ୍ୟାଶାରେ
ଶୃଙ୍ଖଳାର ଲକ୍ଷ୍ମଣ ରେଖାକୁ ଡେଇଁ
କାହିଁକି କେଜାଣି ଚାଲି ଆସିଥିଲି
ଭୁଲି ମୋ' ପରିବାରର ସମ୍ମାନକୁ
ସୁଖ ସନ୍ଧାନରେ ବୁଲି ପରିଶେଷେ
ପାଇଲି କେତେ ଯାତନା ନିର୍ଯ୍ୟାତନା
ପୁଣି ଶୁଣିଲି କେତେ କଥା ଲାଞ୍ଛନା
ଅତିକ୍ରାନ୍ତ ହୋଇଲାଣି ସହିବାର
ଆଜି ସବୁ ସୀମା ତଥାପି ବଞ୍ଚିଛି
ନିଃସହାୟ ନିରୁପାୟ ସେହିଠାରେ
ମୁକ୍ତି ପ୍ରତୀକ୍ଷାରେ ବିତିଯାଏ ମୋ'ର
ଦିବସ ଏଠି କେବେ ତ ଖୋଜି ଖୋଜି
ଉଜ୍ଜଳତା ତପନର ପୁଣି କେବେ
ପାଇବାକୁ ବ୍ୟାକୁଳିତ ହୁଏ ଏଇ
ପରାଣ ଶୀତଳତା ସେ ଚନ୍ଦ୍ରମାର।