STORYMIRROR

Aishwarya Mishra

Classics Inspirational

4  

Aishwarya Mishra

Classics Inspirational

ଓଡ଼ିଶା

ଓଡ଼ିଶା

2 mins
67


ଉତ୍କୃଷ୍ଟ କଳାର ଦେଶ ଏ ପୁଣ୍ୟଭୂମି ଉତ୍କଳ

ଦେଖି ଅନନ୍ୟ କୀର୍ତ୍ତିରାଜି ମନ ହୁଏ ବିହ୍ବଳ ।


ବାରବାଟି ଦୁର୍ଗେ ଜଳଇ ଉଡ୍ର ବିଜୟ ଦୀପ

ଦେଖିଛି ଏ ସାରା ଭାରତ ଓଡ଼ିଆଙ୍କ ପ୍ରତାପ ।


ସମର ଦୁନ୍ଦୁଭୀ ଶୁଭିଲେ ବାରବାଟି ଦୁଆରେ

ମନେପଡ଼େ ପୂର୍ବ ବିଭବ ପ୍ରାଣ ପୁଲକ ଭରେ ।


ଗଙ୍ଗା ଠାରୁ ଗୋଦାବରୀଏ ଗାଏ ଗୌରବ ଗୀତି

ଭଗ୍ନ ଗିରି ଦୁର୍ଗ ବଖାଣେ ବୀର ଉତ୍କଳ କୀର୍ତ୍ତି ।


ଧନ ବିଭବ ଆନନ୍ଦେ ବଣିକ ସାଧବ ପୁଏ

ବୋଇତକୁ ଘେନି ବାଣିଜ୍ୟେ ଯାଉଥିଲେ ସଭିଏଁ ।


ଜାଭାରୁ ସୁମାତ୍ରା ପର୍ଯ୍ୟନ୍ତ ଦୂରେ ବହୁତ ଦୂରେ

ଭାସୁଥିଲା ଦିବ୍ୟ ବୋଇତ ନୀଳ ସାଗର ନୀରେ ।


ଶୌର୍ଯ୍ୟ ବୀର୍ଯ୍ୟ ଓ ବୀରତ୍ବେ ଅଗ୍ରଣୀ ଓଡ଼ିଆ ବୀର

ପୂରୁବ କୀରତି ସୁମରି ଆଜି ଉନ୍ନତ ଶୀର।


ବୀର ଗଜପତି ନରେଶ, ଖାରବେଳ, ଯଯାତି

ତୁଙ୍ଗ ନରପତି ଲାଙ୍ଗୁଳା , କପିଳେନ୍ଦ୍ର ନୃପତି ।


ଦିଗ୍ ବିଜୟ ବରି ରଖିଲେ ସେ ମହୀରେ ଯଶ 

ତଟିନୀ ମେଖଳା ମନ୍ଦିର କରେ ଗୁଣ ପ୍ରକାଶ।


ଦୟା ନଦୀ ଶୁଣାଉଛି ତ କଳିଙ୍ଗ-ଯୁଦ୍ଧ କାହାଣୀ 

ଅହିଂସାଭାବର ମହିମା ଧର୍ମାଶୋକଙ୍କ ବାଣୀ ।


ଏହି ଯେ ଉତ୍କଳ ଜନନୀ ପୁଣ୍ୟମୟୀ ତା' କୋଳ

ଚରଣରେ ଶୋହେ ସାଗର କଟୀରେ ଗିରିମାଳ ।


ସଧିରେ ତଟିନୀ ବହଇ, ମିଶେ ନୀଳ ସାଗରେ

ଦେଖ ଶ୍ୟାମଳିମା ଖେଳୁଛି, ବିଲ ପାଟ ପ୍ରାନ୍ତରେ ।


ମରାଳ ମାଳିନୀ ଚିଲିକା ହସେ ନୀଳାମ୍ବୁ କୋଳେ

ସୁଧାଂଶୁ କିରଣ ନାଚଇ ମହାନଦୀର ଜଳେ ।


ଅର୍କକ୍ଷେତ୍ର ଦିଶେ ସୁନ୍ଦର ବାଳଭାନୁର କରେ

ଭରିଛି ଓଡ଼ିଆ ଭାସ୍କର୍ଯ୍ୟ ପ୍ରତି ପ୍ରସ୍ତର ଗାରେ ।


ବାରଶହ କାରିଗରଙ୍କ ପ୍ରାଣମୟ ପ୍ରତିମା 

ଧରମପଦ କାହାଣୀ ବଢାଏ ଏହା ଗାରିମା ।


ଚିତ୍ରକଳ୍ପ ପ୍ରାୟ ଦିଶଇ ନୀଳାଚଳ ମନ୍ଦିର

ପୁଣି ବିଜେ ସେହି ଠାବରେ ପ୍ରିୟ କଳାଠାକୁର।


ମନ୍ଦିରମାଳିନୀ ନଗରୀ ଅଟେ ଭୁବନେଶ୍ବର 

ହାତ ଠାରି ତହିଁ ଡାକଇ ଲିଙ୍ଗରାଜ ମନ୍ଦିର।


ଓଡ଼ିଆ ଶିଳ୍ପୀର ପ୍ରତିଭା ପ୍ରତି ଠାବେ ପ୍ରକାଶେ 

ପ୍ରତିଟି ମୃଣ୍ମ୍ୟୟ ମୂର୍ତ୍ତୀରେ ନବ ଜୀବନ ଭାସେ ।


ଛନ୍ଦେ ଛନ୍ଦେ ମନ କିଣଇ ବୈଦେହୀଶ ବିଳାସ 

କଳ୍ପେ କଳ୍ପେ ମଧୁ ଝରଇ ମନେ ଭରି ଉଲ୍ଲାସ।


ବିଶ୍ବରେ ସବୁଠୁ ମଧୁର ଲାଗେ ଓଡ଼ିଆ ଭାଷା

ବହୁ ସ୍ରଷ୍ଟାଙ୍କର ସୃଷ୍ଟିରେ ପୂର୍ଣ୍ଣ ମୋ ମାତୃଭାଷା ।


ପଖାଳ କଂସାରେ ଖେଳଇ କେତେ ନୂଆ ସପନ

ପ୍ରତିଟି ଓଡ଼ିଆ ମନରେ ସଞ୍ଚରେ ନବ ଜୀବନ।


ଆଉ କି ରୂପେ ବର୍ଣ୍ଣିବି ତୋ ପୁଣ୍ୟମୟ ଗାରିମା

କେଉଁ ରୂପେ ସଜାଇବି, ପୁଣି ଦେବି କି ଉପମା ।


 ପ୍ରିୟ ଓଡ଼ିଶା ଭୁବନ ଅପୂର୍ବ ଶୋଭା ଭଣ୍ଡାର 

ଗଢିଛି ବିଧାତା ଯତନେ ଦେଇ ରୂପ ସମ୍ଭାର।


 କୋଳରେ ଭରିଛି ବନାନୀ ସବୁଜିମାରେ ଭରା

କେତେ ନଦ ନଦୀ ଝରଣା ଅଟନ୍ତି ଅତି ପ୍ରଖରା ।


ଅପୂର୍ବ କାନନ କୁନ୍ତଳ ଲୋଭନୀୟା ମୂରତୀ

କେତେ ଉପହାର ତୋ' ବକ୍ଷେ ଭରିଅଛି ପ୍ରକୃତି ।


ଆହେ ଓଡ଼ିଶା ଜନନୀ ଘେନ ମୋର ନମସ୍କାର 

ଯୁଗେ ଯୁଗେ ଯଶ କିର୍ତ୍ତୀରେ ପୂରୁ ତୁମରି ପୁର।


Rate this content
Log in

Similar oriya poem from Classics