ଓଡ଼ିଆ ଜାତିର ଲଢୁଆ ବୀର ଚନ୍ଦନ ହଜୁରୀ
ଓଡ଼ିଆ ଜାତିର ଲଢୁଆ ବୀର ଚନ୍ଦନ ହଜୁରୀ
ଶ୍ରୀକ୍ଷେତ୍ର ନନ୍ଦନ ହଜୁରୀ ଚନ୍ଦନ ବାପା ପୁରୀପଣ୍ଡା ରଘୁ,
ଡାକନାମ ପୁଣି ରଖିଥିଲେ ଚାଖି ପୂଜୁଥିଲେ ମହାପ୍ରଭୁ |
ପାଠପଢା ସଙ୍ଗେ ତୀର୍ଥ ଭ୍ରମଣରେ ଲାଗିଥିଲା ପିଲାମନ,
ବିଠୁର ରାଇଜେ ଛବେଲି ସହିତ ମିଶିଥିଲେ କିଛିଦିନ |
ଛବେଲି ହୋଇଲେ ଝାନସୀର ରାଣୀ, ଚନ୍ଦନ ଗଲେ ପାଖେଇ,
ଦରକାର ବେଳେ ଉପଦେଶ ଦେଇ ବିଦ୍ରୋହ ଦେଲେ ମତେଇ |
ଝାନସୀ ଦୁର୍ଗକୁ ଫିରିଙ୍ଗି ଫଉଜ କରିଥିଲେ ଅଧିକାର,
ଗାଆଁଗାଆଁ ବୁଲି ଗୋରା ସରକାର ବିରୁଦ୍ଧେ କଲେ ପ୍ରଚାର |
ଚନ୍ଦନ ହଜୁରୀ ଇଙ୍ଗିତରେ ପ୍ରଜାକଲେ ଦିନେ ଆକ୍ରମଣ,
ଫେରିଲା ଝାନସୀ ରାଣୀଙ୍କ ହାତକୁ ଥମିଲା ଭୀଷଣ ରଣ |
ବରଷକ ପରେ ବଢାଇ ଫଉଜ ଫିରିଙ୍ଗି ଆସିଲେ ମାଡ଼ି,
ଚନ୍ଦନ କହିଲେ-ନୁଇଁବାନି ମଥା ମରିବା ପଛକେ ଲଢି |
ବିଗୁଲ ବାଜିଲା ଲଢେଇ ଚାଲିଲା ରଣଚଣ୍ଡୀ ବେଶ ରାଣୀ,
ପାଶେ ପାଶେ ରହି ଚନ୍ଦନ ହଜୁରୀ ଦିଅନ୍ତି ଉତ୍ସାହ ବାଣୀ |
ସାତଦିନ ମହାସମର ଶେଷରେ ପ୍ରାଣଦେଲେ ଲକ୍ଷ୍ମୀବାଈ,
ପରାଭବ ଦେଲେ ଫିରିଙ୍ଗି ଫଉଜ ବିଦ୍ରୋହୀଙ୍କୁ ଧରିନେଇ |
ଧରି ପାରିଲେନି ଚନ୍ଦନକୁ କେହି ଜଗତ ଜାଣିଲା ମୃତ,
ସାତବର୍ଷ ପରେ ଫେରିଲେ ଚନ୍ଦନ ସଭିଙ୍କୁ କରି ଚକିତ |
ସିପାହୀ ପଣ୍ଡା ସେ ଚନ୍ଦନ ହଜୁରୀ ଛଦ୍ମନାମେ ରହିଥିଲେ,
ଚାଖି ଖୁଣ୍ଟିଆ ସେ ବିଦ୍ରୋହୀ ସଂଗ୍ରାମୀ ଓଡ଼ିଶା ମାନ ରଖିଲେ |,
000
