ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ


ମଙ୍ଗଳା ଚରଣ
"କ" ଠାରୁ" କ୍ଷ "
ଟ, ଠ, ଡ, ଢ, ଣ
ରାଗ..ଚୋଖି
(ଟ )
ଟେକିଣ ନିଜକୁ ନର ଗର୍ଜୁଥାଇ ସବୁ ମୋର
ମୋଠାରୁ ବଡ଼ ନାହିଁ କେ ବିଶ୍ୱ ବ୍ରହ୍ମାଣ୍ଡେ l
ଟାଣପଣ ଯାଏ ଉଡ଼ି ଆତ୍ମା ଗଲେ ଗାତ୍ର ଛାଡ଼ି
କେ ନୁହେଁ ଆପଣା, ପ୍ରାଣ ନଥିଲେ ପିଣ୍ଡେ l
ଟାଣ ପଣ ଅଟଇ ବ୍ୟର୍ଥ
ଟାକିଅଛି ଟେକିନେବ ମାର୍ତ୍ତଣ୍ଡ ସୁତ l
(ଠ )
ଠାବ ପାଇବାକୁ ହେଲେ ପ୍ରଭୁ ଶ୍ରୀଚରଣ ତଳେ
ଉପାୟେ ରମା ରମଣ ଚରଣ ଭଜ l
ଠିକଣା ବେଳରେ ମନ ବ୍ରହ୍ମରେ ହେବୁ ମଗନ
କାଳପାଶ ଛାର ହେବ ମନରେ ହେଜ l
ଠକିଗଲେ ଠିକଣା ବେଳେ
ଠାବ ଠିକାଇବ କେହୁ ତୋ ପରାକାଳେ l
(ଡ )
ଡର ନାହିଁ ନାହିଁ ଭୟ କୃଷ୍ଣ ପାଦେ ଥିଲେ ଲୟ
ଡାକିଲେ ଭାବେ ସେ ଭକ୍ତ ଭାବରେ
ବନ୍ଧା l
ଡକାଇ ଗୋପାଙ୍ଗନାଙ୍କୁ ଭାବରେ ରମିଲେ ତାଙ୍କୁ
ବୃନ୍ଦାବନ ଚନ୍ଦ୍ର ହରି ତ୍ରିଭଙ୍ଗୀ ଛନ୍ଦା l
ଡଙ୍ଗା ବୁଡ଼େ ଏ ଭବ ଜଳେ
ଡାକୁଛି ଜୀବନ ଡଙ୍ଗା ଲଗାଅ କୂଳେ l
(ଢ )
ଢଳଢଳ ବାଙ୍କଚୂଳି ଗଳାରେ ତୁଳସୀ ମାଳି
ମେଦିନୀରେ ବିଜେ ଅବା କୋଟି ମଦନ l
ଢଳଢଳ ନେତ୍ର ବେନି ଢଳେ କି କାଳନ୍ଦୀ ପାଣି
କାଳୀ ଦଳା ଭାବେ ହେ ଜଗନ ମୋହନ l
ଢାଳିଦିଅ ଆଶିଷ ଜଳ
ଢଳାଇ ନେତ୍ର ନାଶ ମୋ ପାପ ସକଳ l
(ଣ )
ନାହିଁ ମୋହର ଆୟତ୍ତ ନୁହଁଇ ମୁଁ ଅନାଶକ୍ତ
ମାୟା ମୋହ କାମ କ୍ରୋଧ ଲୋଭେ ଆସକ୍ତ
ନାହିଁ ମୋର ବୁଦ୍ଧି ଜ୍ଞାନ ନୁହଁଇ ମୁଁ ବୁଦ୍ଧଜନ
ପ୍ରଭୁ ଅବ୍ୟକତ ଲୀଳା କରୁ ବ୍ୟକତ l
ମୁଁ ଦୀନହୀନ ବୁଦ୍ଧିଶୂନ୍ୟ l
ନିଜଗୁଣେ କ୍ଷମ ଦୋଷ ବିଦୂଷ ଜନ l