ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ


"କ " ଠାରୁ "କ୍ଷ "
ତ, ଥ, ଦ, ଧ, ନ
ରାଗ... ଚୋଖି
(ତ )
ତୁମେ ସଖା ତୁମେ ବନ୍ଧୁ ପିତା ମାତା ଜ୍ଞାନସିନ୍ଧୁ
ତୁମେ ସ୍ରଷ୍ଟା ସୃଷ୍ଟି ବ୍ୟାପ୍ତ ବିଶ୍ୱ ବ୍ରହ୍ମାଣ୍ଡେ l
ତୁମେ ବ୍ରହ୍ମ ପରଂବ୍ରହ୍ମ ବ୍ରହ୍ମାଣ୍ଡ ଜୀବ ଜୀବନ
ସର୍ଜିଛ ସଂସାରେ ଜୀବ କରମ କାଣ୍ଡେ l
ତୁମର ସୁଦୟା ଅଶେଷ
ତୁମ ଜ୍ଞାନ କୌଶଳେ ଏ ସୃଷ୍ଟି ବିକାଶ l
(ଥ )
ଥୟ କରି ମୁଁ ନପାରେ ପିଣ୍ଡ ବ୍ରହ୍ମାଣ୍ଡ ମତରେ
ସକଳ ସ୍ଥାନରେ ତୁମେ ରହିଛ ପୁରି l
ଥଳ, ଅମ୍ବର, ଅନୀଳ ଆବର ବାତ, ଅନଳ
ପଞ୍ଚ ମହାଭୂତେ ଗଢିଛ ଦେହଧାରୀ l
ସ୍ଥାବର ଓ ଜଙ୍ଗମ ଭେଦେ
ସ୍ଥିର ଅନନ୍ତ ମହିମା ନମିଳେ ବେଦେ l
(ଦ )
ଦୟା ତୁମର ଅଶେଷ ହେ ଦୟାମୟ ପୁରୁଷ
ଦଶମାସ
ରେ ଗଢ଼ିଲ ମାନବ ଦେହ l
ଦେଇଅଛ ଦିବ୍ୟଜ୍ଞାନ ଆହେ ପ୍ରଭୁ ଭଗବାନ
ଅବୋଧ ମାନବ ଦେହ କରଇ ଦାହ l
ଦୁଃଖ କେତେ ସହିବି ଆଉ
ଦୁଃଖୀ ଡାକେ ଦୁଃଖ ଫେଡ଼ ହେ ମହାବାହୁ l
(ଧ )
ଧନ୍ୟ ହେ କରୁଣାସିନ୍ଧୁ ଜୀବନ ଅମୀୟ ବିନ୍ଦୁ
ସୁକ୍ଷ୍ମରୁ ସ୍ଥୂଳ କରିଣ ଗଢିଛ ସୃଷ୍ଟି l
ଧନ ଜୀବନ ଯୌବନ ସକଳ ତୁମର ଦାନ
ପାଶୋରେ ମାନବ ମିଛ ମାୟାରେ ଲୋଟି l
ଧୀରେ ଯାଏ ବାଲ୍ୟ କୈଶୋର
ଧରେ ଯୌବନ ପ୍ରାପତେ କାମିନୀ କର l
(ନ )
ନାରୀ ସେ ମାୟାର ଜଳ ଅଟଇ ବଡ଼ ପ୍ରବଳ
ଦିଗ ବିଜୟୀ ବିରଙ୍କୁ ଖଟାଏ ପାଦେ l
ନାରାୟଣଙ୍କର ବିନା ମାୟାରେ ସକଳେ ବଣା
ମହାଦେବ ହେଲେ ବଣା ମୋହିନୀ ବାଦେ l
ନିଜକନ୍ୟା ଦେଖି ବିରଞ୍ଚି
ନିବାରି ନୋହିଲା କାମ ରମଣ ପାଞ୍ଚି l