ଓଲଟ ପାଲଟ
ଓଲଟ ପାଲଟ
ସୁଧାର ଗାଈ ଉଦାର ଆଈ ଦୁହିଙ୍କ ଦଶା ଏକା,
ଫଳନ୍ତି ଗଛ ଖାଏ ଖପଡ଼ ମାରନ୍ତି ପିଲେ ଟେକା |
କେଡ଼େ ବିରାଟ ବରଗଛରେ ଫଳୁଛି ଟିକିଫଳ,
ଲତାରେ ଫଳେ ତରଭୁଜଟି ବିରାଟ ରୂପ ତା'ର |
ବରଫଳର ବକଟେ ମଞ୍ଜି ମଣିଷ ଖାଏ ନାହିଁ,
ଲଙ୍କା ଆମ୍ବର ବିରାଟ ମଞ୍ଜି ସୁଆଦେ ଭରା ସେହି |
ଛୋଟ ସାପର ବିଷ ଅଧିକ ଅଜଗରର ନାହିଁ,
ହାତୀ ଖାଉଛି ଡାଳ ପତର କାଠ ଖାଉଛି ଉଈ |
ମାଡ଼ଠୁଁ ବେଶି କଷ୍ଟ ଲାଗୁଛି ଅପମାନର ବ୍ୟଥା,
ଗୁଳିଠୁଁ ବେଶି ଯନ୍ତ୍ରଣା ଦିଏ କହିଲେ କଟୁକଥା |
ବିପଦ ବେଳେ ଆହା ପଦିଏ ଲାଗେ ଚନ୍ଦନ ପରି,
ଦେହବଳଠୁଁ ମନର ବଳ ଦୁଃଖକୁ ନିଏ ହରି |
