STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଓଡ଼ିଶା

ଓଡ଼ିଶା

10 mins
296


ଓଡିଶା ଓଡିଶା ମାଆ ମୋର ଓଡିଶା

ଜନମରୁ ଜୁଇ ଯାଏ ସାହା ଭରଷା ।

ଯାର ପାଣି ପବନରେ ଫୁଲ ବରଷା

ଯାର ମାଟି ମଟାଳରେ ସୁନା ପରଷା,

ଯାର ବେଶଭୁଷା ଯାର ସାସ୍ତ୍ରିୟ ଭାଷା

ବାରମାସେ ତେର ପର୍ବ ମନ ହରଷା,

ଯାର ଇତିହାସ ବୀର ରକତେ ଲେଖା

ଯାର ବିଲବଣ ସ୍ନେହ ଶରଧା ମଖା,

ଚିକିମିକି ଆଲୁଅରେ ଭୂଗୋଳ ହସେ

ଅନ୍ଧାରରେ ବୁକୁତଳ ନିଆରା ଦିଶେ ,

ଯାର ତାଳ ତମାଳର ମଧୁ ମହକ

ଫଗୁଣ କାନରେ କହେ ଫୁଲର ଗପ,

ନୀଳ ନଈ ପୋଖରୀରେ ପହଁରେ ଜହ୍ନ

ଢଳଢଳ କଇଁ ଫୁଲ କମଳ ବନ ।

ଭାଇଚାରା ଭାବନାବ ସାହି ପଡିଶା

କଅଁଳ ସକାଳ ଓଠେ ହଜାରେ ଆଶା ।

ସାହସ ପସରା ଭରେ ଅସରା ସ୍ନେହ

ମମତା ର ପାରାବାର ସେ ମୟା ମୋହ ।

ସପନ ଦେଖାଏ ମୋତେ ଦେଖାଏ ଦିଶା

ଓଡିଶା ଓଡିଶା ମୋର ଓଡିଶା

ଉତ୍କର୍ଷ କଳାର ଦେଶ ନାମ ଉତ୍କଳ

କଳା କିର୍ତ୍ତୀ ସାଇତିଛି ମଠ ଦେଉଳ ।

ଓଡିଶା କଳିଙ୍ଗ ଆଉ ଉଡ୍ର ଦେଶଟି

ମୋ ରାଇଜ ନାମ କେତେ ଅଛି ଏମିତି ।

ଗୀତା ଭାଗବତ ପୂଣ୍ୟ ମହାଭାରତ

ସ୍କନ୍ଦପୁରାଣ ରେ ନାମ ଅଛି ବର୍ଣ୍ଣିତ ।

ଉତ୍କଳ ସେ ଧର୍ମ ଭୂମି ପୁତ ପବିତ୍ର

ମୁନି ଋଷି ତପୋଭୂମି ଅପୂର୍ବ କ୍ଷେତ୍ର ।

ଜଗତର ନାଥ ଏଠି କରନ୍ତି ଲିଳା

ବୁଝନ୍ତି ଭକତ ଦୁଃଖ ଜୀବନ ଜ୍ବଳା ।

ରତନ ବେଦୀରେ ବସି ସବୁ ଦେଖନ୍ତି

କାନ ଡେରି ଦୀନ ଦୁଃଖୀ ଦୁଃଖ ଶୁଣନ୍ତି ।

ଭକତ ଜାଚିଲେ ଭୋଗ ହାତ ବଢାନ୍ତି

ଭକତ ପାଇଁକି ନିଜେ ଗୀତ ଲେଖନ୍ତି ।

ଏ ମାଟିରେ ବଡ ସାନ ସବୁ ସମାନ

ଆତ୍ମୀୟତା ଭାବ ଡୋରି ପ୍ରେମ ବନ୍ଧନ ।

ରାଜା ଏଠି ସମାର୍ଜନୀ ହାତେ ଧରନ୍ତି

ଦିଅଁଙ୍କ ଚଉପାସ ମାର୍ଜନା କରନ୍ତି ।

ଜୟ ଜଗନ୍ନାଥ ବିଶ୍ବ ଓଠରେ ଘୋଷା

ଓଡିଶା ଓଡିଶା ମୋର ଓଡିଶା

ଧଉଳି ପାହାଡ ତଳେ କଳିଙ୍ଗ ଯୁଦ୍ଧ

ଅଶୋକଙ୍କ ଆଖିରୁତ ହଜିଲା ନିଦ ।

ବୃଦ୍ଧା ଏକ ହାରିଥିଲା ତାର ସନ୍ତାନ

କହିଲା ରାଜା ପାରିବ ଦେଇ ଜୀବନ !

ଜିତି ବି ସେ ପରାଜୟ କଲେ ସ୍ବିକାର

କଠୋର ହୃଦୟ ତାଙ୍କ ହେଲା ଅସ୍ଥିର ।

ତରବାରୀ ଜୟ ନୁହେଁ ହୃଦୟ ଜୟ

ହୃଦୟ ଜିଣିବା ପାଇଁ କଲେ ଉପାୟ ।

ଉପଗୁପ୍ତଙ୍କୁ ସେ ତାଙ୍କ ଗୁରୁ ମଣିଲେ

ତାଙ୍କଠାରୁ ବୌଦ୍ଧ ଧର୍ମ ଗ୍ରହଣ କଲେ ।

ଚଣ୍ଡାଶୋକତ ପାଲଟିଲେ ଧର୍ମାଶୋକ

ବୌଦ୍ଧ ଧର୍ମ ପ୍ରଚାରିଲେ ଜଗତ ଜାକ ।

ଐର ବୀର ଖାରବେଳ ସେତ ମହାନ

ଏଇ ଓଡିଶା ମାଟିର ବୀର ସନ୍ତାନ ।

ବାହୁବଳେ ଦିଗ ଚଉଦିଗ ଜିଣିତ

ଜୈନଧର୍ମେ ହେଲେ ବୀର ଶେଷେ ଦୀକ୍ଷିତ।

ଉଦୟଗିରି ଖଣ୍ଡଗିରି ର କନ୍ଦର

ଐରବୀର ସ୍ମୃତି ଗୁମ୍ଫାରାଜି ସୁନ୍ଦର ।

ଏ ମାଟି ବଖାଣେ ପରିବର୍ତ୍ତନ ଭାଷା

ଓଡିଶା ଓଡିଶା ମୋର ଓଡିଶା

ପାହାଡ ପର୍ବତ କେତେ ବଣ ଝରଣା

ସବୁଜିମା ଭରା ବଣ ଫୁଲ ଅଗଣା ।

ନଦ ନଦୀ ହ୍ରଦରାଜି ଜଳ ପ୍ରପାତ

ମନ ମୋହି ନିଏ ତାଙ୍କ ମଧୁର ଗୀତ ।

ପୂଣ୍ୟତୋୟା ମହାନଦୀ ତେଲ ବିରୁପା

ଈନ୍ଦ୍ରାବତୀ ଋଷିକୂଲ୍ୟା ଦେବୀ ସ୍ବରୂପା ।

ରୂପସୀ ଅ°ସୁପା ରୂପବତୀ ଚିଲିକା

ହ୍ରଦ ସିଏ କବିଙ୍କର କାବ୍ୟ ନାୟିକା ।

ସାଗର ର ବେଳା ଭୂଇଁ ଢେଉର ହାର

ଧୋଇଦିଏ ନିତି ମାଆ ପାଦ ପୟର ।

ଜନଜାତି ଆଦିବାସୀ ଭାଇ ଭଉଣୀ

ବଖାଣନ୍ତି ପକୃତି ର କଥା କାହାଣୀ ।

ତାଙ୍କ ନାଚ ତାଙ୍କ ଗୀତ ପକୃତି ପୂଜା

ଅନ୍ଧାରକୁ ଆଲୁଅ କରେ ଦିଗହଜା ।

ପକୃତିର ଉପାସକ ସେମାନେ ଯେଉଁଠି

ରୁହନ୍ତି ସଭ୍ୟତାତ ଆରମ୍ଭ ସେଇଠି ।

ମାଟି ପାଣି ଅଗ୍ନି ବାୟୁ ନୀଳ ଆକାଶ

ତାଙ୍କଠାରୁ ବିଜ୍ଞାନ ଜ୍ଞାନ ର ବିକାଶ ।

ତାଙ୍କ ପାଇଁ ମୋ ମା ର କେତେ ନୂଆ ଆଶା

ଓଡିଶା ଓଡିଶା ମୋର ଓଡିଶା

ଆମରି ଲୋକଗୀତ ସାସ୍ତ୍ରିୟ ସଙ୍ଗୀତ

କାଳଜୟୀ କଳା ସେତ ଜଗତ ବିଦିତ ।

ପାଲା ଦାସକାଠିଆ ପାଇକ ଆଖଡା

ଗୋଟିପୁଅ ଦଣ୍ଡନାଚ ଚଇତି ଘୋଡା ।

ଓଡିଶୀ ନାଚ ଗୀତ ଚଉଦିଗେ କ୍ଷାତ

ବିଦେଶିନୀ ଆସି କେତେ ଶିଖନ୍ତି ସେତ ।

ଓଡ଼ିଆ ଭାଷା ସିନା ପାରନ୍ତିନି ବୁଝି

ସଙ୍ଗିତ ର ତାଳେତାଳେ ଯାଆନ୍ତି ହଜି ।

ଅପୂର୍ବ ସାଜସଜ୍ଜା ବେଶ ପରିପାଟ୍ଟି

ଓଡିଶୀ ଓଡ଼ିଆ ରଙ୍ଗ ସ୍ନେହ ବାଣ୍ଟନ୍ତି ।

ସେନା ଛାଉଣୀ ର ନାଚ ଛଉ ନାଚଟି

ଦିନୁଦିନ ବଢୁ ଅଛି ସେ ନାଚ କ୍ଷାତି ।

ସମ୍ବଲପୁରୀ ନାଚ ମନ କିଣି ନିଏ

ରଙ୍ଗବତୀ ଗୀତ ବିଶ୍ବେ ଚହଳ ପକାଏ ।

ଏମିତି ଗୀତ ଶୁରେ ଅସମ୍ଭାଳ ପାଦ

ମାନେନି ବୋଲ ପାଦ ତୋଳିଥାଏ ଛନ୍ଦ ।

କଳାହାଣ୍ଡି ଘୁମୁରା ଘୁମୁଘୁମୁ ବାଜେ

ଢୋଲ ନିଶାନର ତାଳେ ମନତ ହଜେ ।

ରାତିକୁ ଝୁମାଇ ଦିଏ ତାସା ଢେମସା

ଓଡିଶା ଓଡିଶା ମୋର ଓଡିଶା

ସାହାସୀ କଳିଙ୍ଗବାସୀ ସାସ୍ତ୍ର ବର୍ଣ୍ଣିତ

ଗପ କି କାହାଣୀ ନୁହେଁ କଥାଟି ସତ ।

ସପ୍ତମ ଶତାବ୍ଦୀ କଥା ଭାବିଲେ ଏବେ

ଦରିଆ ସେପରି ଯିବା ଛାନିଆ ଲାଗେ ।

ନଥିଲା ଜ୍ଞାନ ବିଜ୍ଞାନ ସବୁ ଅନ୍ଧାର

ପାଲଟଣା ବୋଇତରେ ଚାଲେ ବେପାର ।

ଓଡ଼ିଆ ସାଧବ ପୁଅ ବୋଇତ ମେଲି

ଯାଉଥିଲେ ସୁମାତ୍ରା ଜାଭା ବର୍ଣ୍ଣିଓ ବାଲି ।

ଦିଗହଜା ସାଗରର ଅଥଳ ଜଳ

ଆଖି ପାଏ ନାହିଁ ନାହିଁ ଥଳ କି କୂଳ ।

ଜଳଦସ୍ୟୁ ଆତଙ୍କ କୁ ଝଡ ବତାସ

ନଥାଏ ଡର ତହିଁକି ଭାରି ସାହସ ।

ଯାଉଥିଲେ ଶାଢୀ ଚୁଡି ମସଲା ନେଇ

ଆସୁଥିଲେ ସୁନା ରୁପା ମାଣିକ ନେଇ ।

କର୍ପୂର ଯାଇଛି ଉଡି କନା ପଡିଛି

ହଜିଲା ଦିନକୁ ଯାହା ମନ ଝୁରୁଛି ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭଷାଇ

ସେଦିନକୁ ଆମେ ଦେଉ ମନେ ପକାଇ ।

ମାଆ ମଙ୍ଗଳା ତ ସାହା ଆମ ଭରଷା

ଓଡିଶା ଓଡିଶା ମୋର ଓଡିଶା

ଓଡ଼ିଆ ପାଇକ ସେନା ବୀର କାହାଣୀ

ସ୍ଵର୍ଣ୍ଣକ୍ଷରେ ଇତିହାସ ଯାଏ ବଖାଣି ।

କପିଳେନ୍ଦ୍ର ଦେବ ଥିଲେ ରାଜା ଏମିତି

ଗଙ୍ଗାଠାରୁ ଗୋଦାବରୀ ଥିଲେ ସେ ଜିତି ।

ଦୁର୍ଧଷ ପାଇକ ରଣ କୌଶଳ ଯୁଦ୍ଧ

ହଜାଇଲା ଇ°ରେଜଙ୍କ ଆଖିରୁ ନିଦ ।

ଜଇ ରାଜଗୁରୁ ଙ୍କର ସେନା ଚାଳନା

ଗୋରା ପଲଟଣ ବାଟ ହୋଇଲା ବଣା ।

ଘର ଭାଇ ବିଭିଷଣ ହୋଇଲେ ବୋଲି

ରାଜଗୁରୁ ପ୍ରାଣ ଦେଲେ ଫାସିରେ ଝୁଲି ।

ବକ୍ସି ଜଗବନ୍ଧୁ ଯେବେ ନେତୃତ୍ୱ ନେଲେ

ପାଇକମାନେତ ମିଶି ବିଦ୍ରୋହ କଲେ ।

ସରା ରାଇଜରେ ନିଆଁ ଜଳି ଉଠିଲା

ଗୋରା ସରକାର ଗଦି ଦେହଲି ଗଲା ।

ମୁକୁଳିବା ପାଇଁ ନୂଆ ଉପାୟ କଲେ

ଓଡିଶା କୁ ଭାଗଭାଗ କରି ସେ ଦେଲେ ।

ବଙ୍ଗ ବିହାର ମାନ୍ଦ୍ରାଜ ସାଥେ ମିଶାଇ

ହତଶିରି କରିଦେଲେ ମାଆ କୁ ସେହି ।

ବଢିବାକୁ ଲାଗିଲା ତ ଆମ ଦୁର୍ଦ୍ଦଶା

ଓଡିଶା ଓଡିଶା ମୋର ଓଡିଶା

ଶୁଦ୍ର ମୁନି ଶାରଳା ପଠାଣି ସାମନ୍ତ

କବିସୂର୍ଯ୍ୟ ବଳଦେବ କବି ସମ୍ରାଟ,

ଅଚ୍ୟୁତ ଯଶୋବନ୍ତ ଦାସ ଜଗନ୍ନାଥ

ଗଙ୍ଗାଧର ଅଭିମନ୍ୟୁ ଜୟଦେବ ତ,

କେତେକେତେ କବି ପୁଣି କେତେ ପଣ୍ଡିତ

ସାରସ୍ୱତ ଭଣ୍ଡାର କୁ କଲେ ଋଦ୍ଧିମନ୍ତ ।

ଥାଇବି ଆମର ଏତେ ପୁରାଣ ପୋଥି

ଆମ ଭାଷାକୁ ଏଣେ ପଡିଲା ବିପତ୍ତି ।

ରାଜ୍ୟକୁ ଖଣ୍ଡଖଣ୍ଡ ଇ°ରେଜ କରିଲେ

ଓଡ଼ିଆ ଭାଷା ନୁହେଁ ପଡୋଶୀ କହିଲେ ।

ସ୍ବତନ୍ତ୍ର ରାଜ୍ୟ ଆଉ ଭାଷା ରକ୍ଷା ପାଇଁ

ସାରା ରାଇଜରେ ତ ଚାଲିଲା ଲଢେ଼ଇ ।

ଗୋପବନ୍ଧୁ କୃଷ୍ଣଚନ୍ଦ୍ର ମଧୁସୂଦନ

ରାଧାନାଥ ରାୟ ଫକୀରମୋହନ,

ଓଡିଶା ବାସୀଙ୍କୁ ସେତ ଦେଲେ ମତେଇ

ତାଙ୍କ ଗପ କବିତାରେ ଦେଲେ ତତେଇ ।

ଇ°ରେଜ ସରକାର ଗୁହାରୀ ଶୁଣିଲେ

ସ୍ବତନ୍ତ୍ର ଓଡିଶା ରାଜ୍ୟ ଗଠନ କଲେ ।

ରକ୍ଷା ପାଇଲାତ ଆମ ଓଡ଼ିଆ ଭାଷା

ଓଡିଶା ଓଡିଶା ମୋର ଓଡିଶା

ଉଣେଇଶ ଛତିଶ ଏପ୍ରିଲ ପହିଲା

ସ୍ବତନ୍ତ୍ର ଓଡିଶା ରାଜ୍ୟ ଗଠନ ହେଲା ।

ଭାଷା ଭିତ୍ତିରେ ହେଲା ଏ ରାଜ୍ୟ ଆମର

ଭାଷା ଆମ ଭାରି ମିଠା ଭାରି ସୁନ୍ଦର ।

ପ୍ରାଚୀନ ଭାଷା ଆମର କେତେ ଯୁଗର

ପ୍ରାଚୀନ ପୋଥି ପୁରାଣ ଶାଖି ଟି ତାର ।

ସାସ୍ତ୍ରିୟ ଭାଷା ଆମର ଆମ ଗରବ

ବଢାଇବା ଆମେ ମିଶି ତାର ଗୌରବ ।

ଭାରି ସହଜ ସରଳ ଆମ ଓଡ଼ିଆ

ଆମ ଗପ ଉପନ୍ୟାସ ଭାରି ବଢିଆ ।

ଚଉପଦି ଚଉତିଶା ଛାନ୍ଦ ଚମ୍ପୁରେ

ମନଛୁଆଁ ଗୀତ ଭରା ନବରସରେ ।

ଆମ ଲୋକକଥା ଆମ ଲୋକ ସାହିତ୍ୟ

ସରଳ ତରଳ ଭାବ ଭରା ଲାଳିତ୍ୟ ।

ନାଟ ଗୀତିନାଟ୍ୟ ଆମ ଆମ ଅପେରା

ଆମ ପାଇଁ ସବୁ ସେତ ସୁଖ ପସରା ।

ସାରସ୍ୱତ ଭଣ୍ଡାର ର ଅସ°ଖ୍ୟ ସୃଷ୍ଟି

ଆମ ପାଇଁ କରେ ନିତି ଅମୃତ ବୃଷ୍ଟି ।

ଉଚ୍ଚ ହେବାପାଇଁ ଯିଏ କରୁଛ ଆଶା

ଉଚ୍ଚ କର ଆଗ ମାଆ ର ଭାଷା ।

ଭାରତର ସ୍ବାଧୀନତା ଆନ୍ଦୋଳନରେ

ଓଡ଼ିଶାର ଅବଦାନ କମ୍ ନୁହେଁ ରେ ।

ଏ ମାଟିର ପୁଅ ସେ ନେତାଜୀ ସୁଭାଷ

ଦେଶାନ୍ତର ହୋଇବି କରିଲେ ସଙ୍ଘର୍ଷ ।

ବୀର ସୁରେନ୍ଦ୍ର ସାୟ ଘେସ୍ ପରିବାର

ଦେଶ ପାଇଁ ବଳିଦେଲେ ପ୍ରାଣ ତାଙ୍କର ।

ଲକ୍ଷ୍ମଣ ନାୟକ ସେ ଚକରା ବିଶୋଇ

ରେଣ୍ଡୋ ମାଝୀ ଙ୍କ ଦାନ ଭୁଲି ହେବ ନାହିଁ ।

ଶେଷ ରକ୍ତ ଥିବାଯାଏ ଲଢେଇ କରିଲେ

ପ୍ରାଣବଳି ଦେଇ ସେ ସହିଦ ହୋଇଲେ ।

ପାପଡାହାଣ୍ଡି ଇରମ ପାଣିମରା ଗାଁ

ସହିଦଙ୍କ ଗାଁ ବୋଲି ଦେଶ ଘୋଷେ ନାଁ ।

ଭୁବନ ଗାଁଆର ଶିଶୁ ବାଜି ରାଉତ

ମରିଗଲା ପଛେ ସିଏ ଛାଡିଲାନି ଘାଟ ।

ରମାଦେବୀ ଅର୍ଣ୍ଣପୂର୍ଣ୍ଣା ପାର୍ବତୀ ଗିରି

ଏମତି ତ କେତେକେତେ ଓଡ଼ିଆ ନାରୀ,

ଗାନ୍ଧିଙ୍କ ଡାକରାରେ ଅହିଂସା ସମରେ

ଝାସଦେଇ ସେମାନେ ଚାଲିଲେ ଆଗରେ ।

ଛାଡିଲେ ବିଦେଶୀ ଦେଶ ଜଗାଇ ଆଶା

ଓଡିଶା ଓଡିଶା ମୋର ଓଡିଶା

ରାଇଜର ରାଜଧାନୀ ଭୁବନେଶ୍ବର

ମନ୍ଦିରମାଳିନୀ ସେତ ଭାରି ସୁନ୍ଦର ।

ବିତିଲାଣି ଏଭିତରେ କେତେ ବରଷ

ସବୁଦିଗେ ରାଇଜ ମୋ କରେ ବିକାଶ ।

ତିରିଶ ଟି ଜିଲ୍ଲା ରେ ମୋ ରାଜ୍ୟ ବିଭକ୍ତ

ଅଶି ପ୍ରତିଶତ ଲୋକ ଆମ ଶିକ୍ଷିତ ।

ଲୋକସଂଖ୍ୟା ଆମ ଚାରିକୋଟିରୁ ବେଶି

ଧନ ନୁହେଁ ମନ ଜିଣି ହେଉରେ ଖୁସି ।

ପୁରୁଷ ଙ୍କ ପରି ଏଠି ଆଗୁଆ ନାରୀ

ରାଜନୀତି କ୍ଷେତ୍ରେ ନାରୀ ସକ୍ରିୟ ଭାରି ।

ସହର ନଗର ଆମ ମହାନଗର

ପ୍ରଗତି ର କଥା କହେ ସେତ ଆମର ।

ଗାଡି ମଟର ପାଇଁକି ରାସ୍ତା ସୁବିଧା

ଅଛି ରେଳ ଯୋଗାଯୋଗ ବିମାନ ସେବା ।

ସ୍ବାସ୍ଥ୍ୟ ଶିକ୍ଷା ସବୁଥିରେ ଆମେ ଆଗରେ

ଆଗୁଆ ଆମେବି ଏବେ କ୍ରୀଡା କ୍ଷେତ୍ରରେ ।

ଲୌହ ଇସ୍ପାତ ଆଉ ଆଲ୍ମୋନିୟମ

ଭାରିଶିଳ୍ପେ ଭରା ଏଇ ରାଇଜ ଆମ ।

ଜୀବନର ରଙ୍ଗ ଏଠି ଆଖିଝଲସା

ଓଡିଶା ଓଡିଶା ମୋର ଓଡିଶା

ଓଡ଼ିଶାର ପୂରୁବ ରେ ନୀଳ ସାଗର

ଧୋଇଦିଏ ମାଆ ପାଦ ଢେଉର ହାର ।

ଉତରରେ ଝାଡ଼ଖଣ୍ଡ ପଶ୍ଚିମବଙ୍ଗ

ଦକ୍ଷିଣରେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ।

ହଜାର ବରଷର ସହର କଟକ

ତା ସ°ସ୍କୃତି ପରମ୍ପରା ଭରେ ପୁଲକ ।

ପଶ୍ଚିମ ର ରାଜରାଣୀ ସମ୍ବଲପୁର

ସମଲେଶ୍ବରୀ ଙ୍କ ଝରେ କରୁଣା ଝର ।

ରଙ୍ଗଭରା ବଲାଙ୍ଗୀର ବରଗଡର

ହାତବୁଣା ପାଟ ଶାଢୀ କିମନୋହର ।

ରାୟଗଡା କୋରାପୁଟ ମାଲ୍କାନାଗିରି

ନବରଙ୍ଗପୁର ସେତ ସ୍ବପ୍ନ ସନ୍ଦରୀ ।

ଖଣିଖାଦାନରେ ଭରା ଜିଲ୍ଲା ଆମର

କେନ୍ଦୁଝର କଳାହାଣ୍ଡି ସୁନ୍ଦରଗଡ ।

ଝାରସୁଗୁଡା ଜିଲ୍ଲାରେ ଅଛିବି ଖଣି

ସେଲାଗି ସେ ଜିଲ୍ଲା ଆଜି ଶିଳ୍ପେ ଅଗ୍ରଣୀ ।

ଝୁମଇ ମୟୂରଭଞ୍ଜ ଝୁମର ସୁରେ

ଫୁଲରାଣୀ ଫୁଲବାଣୀ ମନ ଜିଣାରେ ।

ବଉଦ୍ଧ ରେ ପବନର ଖିଆଲି ନିଶା

ଓଡିଶା ଓଡିଶା ମୋର ଓଡିଶା

ବାଲେଶ୍ଵର ବେଳାଭୂମି ଭାରି ସୁନ୍ଦର

ଭଦ୍ରକର ଭଦ୍ରାକାଳି ପାଦେ ଯୁହାର ।

ଅନୁଗୋଳ ଶିଳ୍ପାଞ୍ଚଳ ଗରବ ଆମ

କେନ୍ଦ୍ରାପଡା ବଳଦେବ ଜୀଉଙ୍କ ଧାମ ।

ଜଗତସିଂହପୁର ସେ କଳାର ଭୂଇଁ

ସୁବର୍ଣ୍ଣପୁର ଗର୍ବ କବି ଭୀମ ଭୋଇ ।

ଖୋର୍ଦ୍ଧାଗଡ ନୟାଗଡ଼ ବୀର ପାଇକ

ରଖିଥିଲେ ଦିନେ ଆମ ଜାତିର ଟେକ ।

ଦେବଗଡ ନୂଆପଡା ଢେଙ୍କାନାଳର

ଅପରୂପ ପ୍ରାକୃତିକ ଶୋଭା ସମ୍ଭାର ।

ଗଞ୍ଜାମ ସେ ଭଞ୍ଜ ଭୂମି ପୁତ ପବିତ୍ର

ଗର୍ବ ଆମ ଗଜପତି ରାଜ ପରିବାର ।

ଚନ୍ଦ୍ରଗିରି ଜିରାଙ୍ଗତ ସ୍ଥାନ ସେମିତି

ତିବ୍ବତିୟ ମାନେ ଯହିଁ ବାସକରନ୍ତି ।

ଶରଣାର୍ଥୀ ମାନଙ୍କୁତ ମାଆ ଆମର

ଆଶ୍ରୟ ଦେଇଛି ଦେଖି ଦୁଃଖ ତାଙ୍କର ।

ପଦ୍ମସମ୍ଭବ ସେତ ଆମ ଓଡ଼ିଶାର

ତିବ୍ବତରେ ବୌଦ୍ଧ ଧର୍ମ କଲେ ପ୍ରଚାର ।

ତେଣୁ ଜିରିଙ୍ଗରେ ହୁଏ ତାଙ୍କରି ପୂଜା

ଉଡୁଅଛି ବୌଦ୍ଧ ଧର୍ମ ର ଧ୍ବଜା ।

ଏ ସ୍ବାଧୀନ ଭାରତର ଅ°ଶ ଓଡିଶା

ଶାନ୍ତି ଆଉ ପ୍ରଗତିର ଏ ନୂଆ ଭାଷା ।

ସବୁଜ କେଦାର ଏଠି ସପନେ ଭରା

କ୍ଷେତ ମାଟି ଆମପାଇଁ ସୁନା ପସରା ।

ଧାନ ମୁଗ ବିରି ମକା କପା ବାଦାମ

ଫଳ ମୂଳ ପରିବା ତ କେତେ କିସମ ।

ମାଟିସାଥେ ମାଟିହୋଇ ଚାଷୀ ଆମର

ଜଗତକୁ ଯୋଗାଉଛି ନିତି ଆହାର ।

ରତ୍ନ ଭଣ୍ଡାର ଆମର ଖାଦାନ ଖଣି

ଲୁହା ବକ୍ସାଇଟ ଭରା କୋଇଲା ପୁଣି ।

ଖଣି ଯୋଗୁ କେତେ ଶିଳ୍ପ ଗଢି ଉଠିଛି

ପ୍ରଗତିର ରଥ ଚକ ଗଡି ଚାଲିଛି।

ନିଯୁକ୍ତି ସୁଯୋଗ କେତେ ସୃଷ୍ଟି ହେଉଛି

ଗତିଶୀଳ ଅର୍ଥନୀତି ହସ ବୁଣୁଛି ।

ପାରାଦୀପ ଧାମରା ସେ ଗୋପାଳପୁର

ବିକାଶ ର ରାହା ମେଲେ ଏଇ ବନ୍ଦର ।

ପଣ୍ୟ ଆମଦାନୀ ପୁଣି ରପ୍ତାନୀ ହୁଏ

ନବ ଜାଗରଣ ପାଇଁ ସୁଯୋଗ ଦିଏ ।

ବିଦେଶୀ ମୁଦ୍ରା ସତେ ହୁଏ ବରଷା

ଓଡିଶା ଓଡିଶା ମୋର ଓଡିଶା

ଭାରି ସୁଆଦିଆ ଆମ ପିଠା କାକରା

ଚକୁଳି ଏଣ୍ଡୁରି ମଣ୍ଡା ନଡିଆ କୋରା ।

ଖୁଆପେଡା ରାଶି ଲଡୁ ଲବଙ୍ଗଲତା

ପୋଡପିଠା ଛେନାପୋଡ ଆରିଶା ପିଠା ।

ରସଗୋଲା ଆମର ସେ ଏକା ଆମର

ମାଆଙ୍କୁ ତୋଷ କରନ୍ତି ଦେଇ ଠାକୁର ।

ଅମାଲୁ ଦମାଲୁ ଆମ ଗୋଲାପଜାମୁ

ସୁଆଦିଆ ଗଜା ଖଜା ଜଲିପି ଲଡୁ ।

ମୁଆଁପିଠା ଚିନିମୁଆଁ ଛୁଞ୍ଚିପତର

କ୍ଷୀରପୁଳି ମାଲପୁଆ କ୍ଷୀର ସାଗର ।

ବିରିବରା ଦହିବରା ଦହି ପାଚେଡି

ସାଗମୁଗ ରାଜଭୋଗ କ୍ଷୀରି ଖେଚେଡି ।

ହବିଷ ଡାଲମା ଆମ ଆମ୍ବୁଲ ରାଇ

ମହକରେ ଲାଳ ଆସେ ପାଟିରୁ ବୋହି ।

ଛେନାଝିଲି ଛେନାକ୍ଷୀରି ଛେନା ତର୍କାରୀ

ମାଛ ମା°ସ ହେବନାହିଁ ତାସାଥେ ସରି ।

ଆମ ଆଈ ମାଆ ମାଇଁ ଯାହା ରାନ୍ଧନ୍ତି

ତା ଠାରୁ ସୁଆଦ ଆଉ କେହି ନୁହନ୍ତି ।

ପାଟିରୁ ଛାଡେନି ଆମ ପଖାଳ କ°ସା

ଓଡିଶା ଓଡିଶା ମୋର ଓଡିଶା

ଆମ ଶିଳ୍ପୀ ଆମ ଶିଳ୍ପ କଳା କିରତି

ଚାରୁକଳା କାରୁକଳା ଆମ ସମ୍ପତ୍ତି ।

ଶିଳ୍ପୀ ହାତରୁ ପାଇ କାଉଁରୀ ସ୍ପର୍ଷରେ

ପଥର ହସଇ ମନଖୋଲା ହସରେ ।

ସାଗର ବେଳାଭୂଇଁ ବାଲିର ବର୍ଣ୍ଣାଳୀ

ଅମାନିଆ ମନଯାଏ ସପନେ ଚହଲି ।

ପାର୍ବଣ ରଖିଲେ ପାଦ ମାଟି ବୁକୁରେ

ମାଟି ପାଏ ଜୀବନ ଭାବ ଭକତିରେ ।

କେତେ ଦେବାଦେବୀ ପଶୁ ପକ୍ଷୀ ରାକ୍ଷସ

ଶିଳ୍ପୀ ଦିଏ ଜୀବନ ମାଖି ନବରସ ।

ରୁପା ତାରକସି କାମ ମନ ରସିଆ

ମଖମଲି ଫୁଲ କମକୁଟା ଫାସିଆ ।

ପିପିଲିର ଚାନ୍ଦୁଆ ରଙ୍ଗ ଝିଲିମିଲି

କଳାହାଣ୍ଡି କାଠ ହାତୀ ଲାଗେ ଅସଲି ।

ଆମ ପାଟଶାଢୀ ଆମ ମଠା ଚଦର

ଦେଶ ବିଦେଶରେ ତାର ଭାରି ଆଦର ।

ଚିତ୍ର ବିଚିତ୍ର ପାଢି କମକୁଟା ଦେହ

ଧଡିରେ ଧାଡିରେ ଫୁଲ ରଙ୍ଗର ମୋହ ।

ଶିଳ୍ପୀ ର ସବୁ ସତେ ଖିଆଲି ନିଶା

ଓଡିଶା ଓଡିଶା ମୋର ଓଡିଶା

ଏମିତି ମୋ ରାଇଜକୁ ଯିଏ ଆସିଛି

ମନ ଲୋଭା ଛବି ତାକୁ ବାନ୍ଧି ରଖିଛି ।

ପ୍ରାଚୀନ ମଠ ମନ୍ଦିର ଗୁମ୍ଫା ଗହ୍ବର

ଅପରୂପ କିର୍ତ୍ତୀରାଜି ଶୋଭା ସୁନ୍ଦର ।

ନୀଳାଚଳ ନୀଳସିନ୍ଧୁ ନୀଳଶଇଳ

ଶଇଳ ଶିଖରେ ଶୋଭେ ବଡ ଦେଉଳ ।

ବଡ ଦେଉଳରେ ପ୍ରଭୁ ଜଗତନାଥ

ଦରଶନ ପାଇଁ ଝୁରେ ସାରା ଜଗତ ।

ଅର୍କ କ୍ଷେତ୍ର କୋଣାର୍କ ରେ ସୂର୍ଯ୍ୟ ଙ୍କ ପୂଜା

ମୂଖଶାଳା ଉଡାଏ ତା ବିଜୟ ଧ୍ବଜା ।

ଅପୂର୍ବ କଳା କିରତି ଲାଗେ ବିଚିତ୍ର

ଧନ୍ୟ ଶିଳ୍ପୀ ଖୋଳିଅଛ ଏମିତି ଚିତ୍ର ।

ଧଉଳିର ସ୍ତୁପ ଖଣ୍ଡଗିରି ଗୁମ୍ଫାରେ

ସ°ଘତିର କଥା ହୋଇଅଛି ଲେଖାରେ ।

ଭୁବନ ଈଶ୍ୱର ସେ ଭୁବନେଶ୍ବରରେ

ମନ୍ଦିରର କାରୁକାର୍ଯ୍ୟ ମନ ମୋହେରେ ।

ହୀରାକୁଦ ନଦୀବନ୍ଧ ଜଳ ଭଣ୍ଡାର

ଏମିତିତ ସ୍ଥାନ କେତେ ଭାରି ସୁନ୍ଦର ।

ଆସି ଥରେ ଦେଖ କୋରାପୁଟିଆ ବର୍ଷା

ଓଡିଶା ଓଡିଶା ମୋର ଓଡିଶା

ସବୁ ଧରମକୁ ସମ୍ମାନ ମନ୍ତ୍ର ଆମର

ବୌଦ୍ଧ ଜୈନ ଇହୁଦୀ ଆଲ୍ଲା ଈଶ୍ୱର ।

ଗିର୍ଜା ମସ୍ଜିଦ ଦେଉଳ ବୌଦ୍ଧ ବିହାର

ଗୁରୁଦ୍ବାର ଅଛି ଅଛି ଜୈନ ମନ୍ଦିର ।

ଅଛି ଖ୍ରୀଷ୍ଟିଆନ ସାହି ମୁସଲିମ୍ ଗାଁ

ଭାବ ଦିଆନିଆ କେଡେ ସୁନ୍ଦର ଆହା ।

ଗାଁ ବି ଏମିତି ଅଛି ଆମ ରାଜ୍ୟରେ

ସେ ଗାଁଆର ସବୁ ଲୋକ ବୌଦ୍ଧ ଧର୍ମୀରେ ।

ତିବ୍ବତର ଲୋକେଛନ୍ତି ଚନ୍ଦ୍ରଗିରିରେ

ତିବ୍ବତୀୟମାନେ ସବୁ ବୌଦ୍ଧ ଧର୍ମିରେ ।

ଅଛି ବୌଦ୍ଧ ସ୍ତୁପ ବିହାର ସେ ଗାଁଆରେ

ବୁଦ୍ଧଙ୍କର ପୂଜା ନିତି ହୁଏ ଯହିଁ ରେ ।

ନୂଆପାଟଣା ନାମରେ ଅଛି ଗାଁଆଟି

ସେ ଗାଁଆ ର ଲୋକେ ପାଟ ମଠା ବୁଣନ୍ତି ।

ସେମାନେ ବି ସବୁ ବୌଦ୍ଧଧର୍ମୀ ଅଟନ୍ତି

ସେ ଗାଁଆ ମନ୍ଦିରେ ବୁଦ୍ଧ ପୂଜା ପାଆନ୍ତି ।

ବୁଦ୍ଧ ପୂର୍ଣ୍ଣିମା ସେ ଗାଁଆର ବଡ଼ ପରବ

ଶାନ୍ତି ଅହିଂସା ମନ୍ତର ତାଙ୍କ ଗରବ ।

ଆଲ୍ଲା ଯୀଶୁ ଆହେଗୁରୁ ଆମ ଭରଷା

ଓଡିଶା ଓଡିଶା ମୋର ଓଡିଶା

ବାରମାସେ ଆମରତ ତେର ପରବ

ଭାବନାବ ଯୋଡିବାକୁ ଦିଏ ସୁଯୋଗ ।

ପହିଲି ଆଶାଢ ମେଘ ମିଠା ପରଶ

ରଜପାନ କିଣେ ମନ ବୁଣେ ହରସ ।

ରଥଯାତ୍ରା ଦିବ୍ୟଲିଳା ପ୍ରଭୁ କରନ୍ତି

ଭକ୍ତ ଙ୍କୁ ଦେବାକୁ ଦେଖା ରଥେ ବୁଲନ୍ତି ।

ରାକ୍ଷୀ ଆସେ ମାଖିଦେଇ ଶରଧା ସ୍ନେହ

ଭାଇ ଭଉଣୀ ସମ୍ପର୍କ ଭାବର ମୋହ ।

ଗଣେଶ ପୂଜା ରୁ ଲାଗେ ପୂଜା ପାର୍ବଣ

ଚଳ ଚଞ୍ଚଳ ହୁଏ ଜନ ଜୀବନ ।

ଦଶହରା ଦଶଭୂଜା ପାଆନ୍ତି ପୂଜା

ଅସତ୍ୟ ଉପରେ ଉଡେ ସତ୍ୟ ର ଧ୍ବଜା ।

ଲକ୍ଷ୍ମୀ ପୂଜା କାଳୀ ପୂଜା ବାଲିଯାତରା

ଆନନ୍ଦ ମୁଖର ହୁଏ ଏ ସାରା ଧରା ।

ଦୀପାବଳି ଦୀପ ଜାଳି ପ୍ରାର୍ଥନା କରୁ

ତମସା ର ନାଶ ହେଉ ସାରା ବିଶ୍ବରୁ ।

ଦୋଳରେ ଅବିର ବୋଳା ରଙ୍ଗ ପରବ

ଭୁଲିଯାଉ ଅଭିମାନ ରାଗ ଗରବ ।

ଉଛୁଳେ ଭାବର ନଈ ସ୍ନେହ ପରସା

ଓଡିଶା ଓଡିଶା ମୋର ଓଡିଶା....

ଆମର ସ°ଘତି ସ୍ନେହ ଶ୍ରଦ୍ଧା ସମ୍ପ୍ରିତି

ସାରାଜଗତରେ ଆଣେ ଜାଗରଣଟି ।

ଭାଇଚାରା ସଦ୍ଭାବନା ଭାବ ବନ୍ଧନ

ପ୍ରଗତି ରଥରେ ସେତ ଭରେ ଇନ୍ଧନ ।

ହାତରେ ମିଶାଇ ହାତ ଗାଉ ଗୀତରେ

 ହଜିଯିବା ଆସ ଏକତାର ଶ୍ରୋତରେ ।

ଗୀର୍ଜାଘର ଗୁରୁଦ୍ବାର ମସ୍ଜିଦ ମନ୍ଦିର

ସବୁ ପୀଠ ଆମକୁ ଲାଗଇ ସୁନ୍ଦର।

ଧନ ନୁହେଁ ମନ ଆମ ପାଇଁ ବଡରେ

କର୍ମକୁ ସଲାମ କରୁ ଧରମର ଗଡରେ ।

ଫୋନି ଫାଇଲିନି ଚାପ କେତେ ରୂପରେ

ଏକ ହୋଇ ଟାଳୁ ପ୍ରକୃତିର କୋପରେ ।

ଆମ ଭାଷା ଆମପାଇଁ ଗର୍ବ ଗୌରବ

ଭାଷା ପାଇଁ ମନେ ଲାଗେ ନିତି ପରବ।

ଯିଏ ବା ଯେଉଁଠି ଆମେ ସବୁ ରହୁରେ

ମମତାର ରଙ୍ଗ ବୋଳେ ଭାଷା ମନରେ ।

ରଖିବା ପାଇଁକି ମାଟି ମାଆ ଟେକରେ

ଜାଗ୍ରତ ସଦା ଆମେ ସମୟ ଶ୍ରୋତରେ ।

ଆମ ନାଥ ଜଗନ୍ନାଥ ସଦା ଭରଷା

ଓଡିଶା ଓଡିଶା ମୋର ଓଡିଶା ।


Rate this content
Log in

Similar oriya poem from Classics