ଓଡ଼ିଶା ମଉଡମଣି
ଓଡ଼ିଶା ମଉଡମଣି
କେତେ କେତେ କ୍ଳେଶ ସହିରେ ଧନ,
ରଖିଥିଲୁ ତୁହି ଓଡିଶା ମାନ।
କେହି ବୁଝିଲେନି ତୋହର ମନ,
ସ୍ୱାର୍ଥେ ବନ୍ଧା ଆଜ ଓଡ଼ିଆ ଜନ।
ବାଆ, ବଢି ଅବା ହେଉ ମରୁଡି,
ଖାଲି ପାଦେ ତୁହି ଯାଉ ଯେ ମାଡି।
ଜନତାର ଦୁଃଖେ ହେଉ ତୁ ଦୁଃଖୀ,
ତୋ'ସମ ରାଇଜେ କେ ହେବ ରକ୍ଷୀ।
ଅଭାବ କଷଣେ ହେଉ ତୁ ଠିଆ,
ତ୍ୟାଗ ଆଉ ସେବା ତୋ ମୂଳଦୁଆ।
ସେବା କଥା କେହି ରଖିନି ମନେ,
ତ୍ୟାଗ ବାର୍ତ୍ତା କଥା ଭୁଲିଲେ ଜନେ।
ଆଦର୍ଶ ଶିକ୍ଷକେ ଜୀବନ ବିତେ,
ଆଜ ଗୁରୁ, ଚାଟ ବୁଝେନି ଏତେ।
ତୋ ଲାଗି ଶିକ୍ଷା ହୋଇଲା ପ୍ରସାର,
କୁସଂସ୍କାର ସମାଜୁ ହୋଇଛି ଦୂର।
ତୋ' ବଦନେ ସଦା ନିର୍ମଳ ଛବି,
କେବେ ତୁ ଲେଖକ, କେବେ ତୁ କବି।
ଲେଖନୀ ମୁନେ ତୋ' କି ଯାଦୁ ଥାଏ?
କୋଟି କୋଟି ଜନ ପ୍ରାଣ ସେ ଛୁଏଁ।
ଅନ୍ୟାୟ, ଅନୀତି ଯେତେ ଖବର,
ଲୋକଲୋଚନେ ତୁ ଆଣୁ ନଜର।
ସରକାରୀ ଦୋଷ ଛାପେ ତୁ ଯହିଁ,
ପଢି ଜାଗେ ଏଠି ଜନତା ତହିଁ।
ତବ ପାଶେ ଯେଉଁ ଓଡ଼ିଆ ପ୍ରୀତି,
ଏଯାଏଁ ବୁଝିନି ଓଡ଼ିଆ ଜାତି।
ଜନମ ଦିବସେ ତୁ ପଡୁ ମନେ,
ତବ ଜୟ ଗାଥା ପଡଇ କାନେ।
ବରଷକେ ଥରେ ଏକଇ ଦିନ,
ମିଥ୍ୟା ଅଭିନୟେ କାନ୍ଦଇ ପ୍ରାଣ।
ନୀତି, ଆଦରଶ ଭୁଲି ଓଡ଼ିଆ,
ନିମିଷକେ ପାଇଁ କାନ୍ଦେ ବଢିଆ।
ଏ ଜାତି ପାଇଁ ତୋ' କାରାବରଣ,
ତିଳେ ଅବା କା'ର ନାହିଁ ସ୍ମରଣ?
ମଣିଷ ପଣିଆ ଗଲାଣି ହଜି,
ସେ କଥା କେ' ଅବା ପାରଇ ବୁଝି?
ଓଡ଼ିଆ ଜାତିର ମଉଡ ମଣି,
ତୋର ପାଶେ ଆମ୍ଭେ ହୋଇଛୁ ଋଣୀ।
ପର ଉପକାର ତୋହର ବ୍ରତ,
ଅବୋଧ ଓଡ଼ିଆ ହୁଏ ଅନାଥ।
ଓଡିଶା ମାଟିର ହେ 'ମହାବାହୁ' ,
ତୋ ଲାଗି କି ଅବା ଲେଖିବି ଆଉ ?
ନୀତି, ଆଦରଶ କଲେ ପାଥେୟ,
ହୁଅନ୍ତା ଓଡିଶା ଅପରାଜୟ।
