ଓଡ଼ିଆ ମୁଁ
ଓଡ଼ିଆ ମୁଁ
ଓଡିଆ ବୋଲି ମୁଁ କରୁଛି ଗରବ
ପୁଅକୁ ପଠାଏ କନଭେଣ୍ଟ
ସାନ ଝିଅ ମୋର ଇଙ୍ଗିଲିଶି ଲେଖେ
ଜାଣେ ନାହିଁ ଅ ଆ ବେଣ୍ଟ ।
ଘରଣଟି ମୋର ଭାରି ପାରିବାର
ଡାକୁଅଛି ମୋତେ ହାଜବେଣ୍ଟ
ଗେଲେଇ ଶାଳୀଟି ଫୁଲେଇ ବିଉଟି
ପିନ୍ଧୁଅଛି ଫଟା ହାପ୍ ପେଣ୍ଟ ।
ଶାଶୁ ମାଆ ମୋର ଗୋଲାପୀ ଅଧର
ମାରନ୍ତି ଦେହରେ ଫଗ୍ ସେଣ୍ଟ,
ଶଶୁରଙ୍କ ପ୍ରିୟ ଜିନ୍ ପେଣ୍ଟସାର୍ଟ
ଦରଜୀକୁ ଦିଅନ୍ତିନି କଣ୍ଟ ।
ଶାଳକର ମୋର ଚିକ୍କଣ ଫିଗର
କଲେଜରେ ସଦା ଆପସେଣ୍ଟ
ସୁନ୍ଦରୀ ଟୋକିଟେ ଫସେଇ ଦେଇଛି
ଅଦାଲତେ ହେବ ଜଜମେଣ୍ଟ ।
ଭଉଣୀ କଥା ମୋ ନ କହିବା ଭଲ
ପାଠରେ ହଣ୍ଡ୍ରେଡ ପରସେଣ୍ଟ
କୁଟାକୁ ଦିଖଣ୍ଡ କରେ ନାହିଁ ସେଇ
କହିଲେ ମାରିବ କଅମେଣ୍ଟ
।
ପ୍ରିୟ ଭାଇ ମୋର ଚେହେରା ସୁନ୍ଦର
ମନଟା ବି ତାର ଭାରି ଆଣ୍ଟ
କଥା କଥାକରେ କଳି କରି କହେ
ଭାଇନା ଜଲଦି ଭାଗବାଣ୍ଟ ।
ବାପା ମାଆ ବୋଲି ନାହିଁ ସମ୍ବୋଧନ
ଆଦରେ ଡାକୁଛୁ ପେଏରେଣ୍ଟ
ସନମାନ ଦେଉ ଲାଭ ଦେଖି ତାଙ୍କୁ
ଯେମିତି ବୀମାର ଏଏଜେଣ୍ଟ ।
ଗାଆଁ ଘର ମୋର ଛାଡି ଆଇଲି ମୁଁ
ସହରେ ରହୁଛି ଦେଇ ରେଣ୍ଟ
ପୂଜାପଦ୍ଧତିରେ ଲାଗୁନାହିଁ ମନ
ସବୁ କାମ ମୋର ଅରଜେଣ୍ଟ ।
ଶାଗ ପଖାଳକୁ ନାକ ଟେକୁଅଛି
ଲାଗୁନାହିଁ ଭଲ ମୁଢିଘାଣ୍ଟ
ଗୀତା ଭାଗବତ ପଢୁନାହିଁ ଜମା
ବଢିଯାଇଛି ମୋ ଟାଆଲେଣ୍ଟ ।
କେମିତି ନିଜକୁ ଓଡିଆ କହୁଛି
ସବୁ ଦେଖି ଅଛି ସାଇଲେଣ୍ଟ
ସୁଧାରିବି ଆଉ ନିଜେ ସୁଧୁରିବି
ନ ହେଲେ ଭବିଷ୍ୟ ଭାୟଲେଣ୍ଟ ।