ଓଡ଼ିଆ କବିତାକାନ୍ଦୁଛି ଲଣ୍ଠନ
ଓଡ଼ିଆ କବିତାକାନ୍ଦୁଛି ଲଣ୍ଠନ
ସମୟର ଗତି ପ୍ରଗତିର ପ୍ରବର୍ତ୍ତନରେ
ଜୀବନ ଯମୁନାରେ ଆସେ ଜୁଆର ଭଟ୍ଟା
ଆଜିର ଶକ୍ତି ସାମର୍ଥ୍ୟ ଦକ୍ଷତା ଅଭିଜ୍ଞତା
କାଲିକୁ ହୁଏତ ହୋଇଯାଇ ପରେ ବ୍ୟର୍ଥ
ତାର ମାନେ ନୁହେଁ ନିଜକୁ ମଣିବା ହେୟ
ଅନୁଶୋଚନାରେ ହୋଇ ବ୍ୟତିବ୍ୟସ୍ତ
କାନ୍ଦି ଆଖିରୁ ଝରାଇବା ଅସରା ଲୁହ।
ହଁ...ଦିନେ ଏ ଦୁନିଆଁର ଅନ୍ଧାରରେ
ଏକମାତ୍ର ଅବଲମ୍ବନର ସହାୟକ ଥିଲା
ଆଲୋକର ରାହା ହୋଇ ଏଇ ଲଣ୍ଠନ
କାଳର କରାଳରେ ଆଜି ତାର ଭୂମିକା
ସମୂହ କଲ୍ୟାଣେ ଅବଲୁପ୍ତ ପ୍ରାୟ
ହୋଇଛି ନବ ସଂସ୍କାର ସଂସ୍କୃତିର ଥତ୍ଥାନ
ସଭ୍ୟତାର ଅଗ୍ରଗତିରେ ତାର ରୂପାନ୍ତର।
କାନ୍ଦୁଛି ଲଣ୍ଠନ ଆଜି ତାର ଆବଶ୍ୟକତାକୁ
ବୁଝି ପାରୁ ନଥିବାରୁ ଆଜିର ସମାଜ
ପୁରୁଣାର ମହତ୍ଵ ଗୁରୁତ୍ବକୁ ପଛରେ ପକାଇ
ନୂତନତ୍ବକୁ ଗୋଟାପଣେ ନେଉଛି ଆବୋରି।
ଆଜି ଚାଲିଗଲେ ଆସନ୍ତାକାଲିକୁ ହୁଏ ଅତୀତ
ନା ତାକୁ ଫେରାଇ ଆଣିହୁଏ ନା ରଖି ହୁଏ
ଶତ ଚେଷ୍ଟାରେ ପ୍ରାଣପଣେ ଜାବୁଡି ଧରି
ଲଣ୍ଠନର ସେ ଦିନ ଆଜି ହୋଇଛି ବିଗତ
ସ୍ମୃତି ତାର ସାଇତି ଭବିଷ୍ୟତ ହୋଇଛି ନିର୍ଣ୍ଣୟ
ସୁତରାଂ ନ କାନ୍ଦି ଦୁଃଖରେ ଏ ଲଣ୍ଠନ
ବରଂ ଖୁସିରେ ହସି ଆହ୍ଲାଦିତ ହେବ ଉଚିତ
ତାର ତ୍ୟାଗ ବଳିଦାନକୁ ପାଥେୟ କରି
ଆଜିର ଏ ସଭ୍ୟ ସମାଜ ଯାଇଛି ଆଗେଇ।
ବିଜୁଳି ଆଲୁଅର ଯେଉଁ ଉଜ୍ଜ୍ୱଳତା ଝଟକୁଛି
ସେ ଏଇ ଲଣ୍ଠନର ଉତ୍ସର୍ଗୀକୃତ ଅବଦାନ
ତାକୁ ମାନି ମୂଳଦୁଆ କରି ଉପରକୁ ଉଠି
ମାନବ ଜଗତ କରୁଛି ଆନନ୍ଦ ଉପଭୋଗ
ଏ ତା' ତ୍ୟାଗ ମହାନତାର ଜ୍ଵଳନ୍ତ ପ୍ରମାଣ
ଯା' ଲାଗି ଲଣ୍ଠନ କୃତକୃତ୍ୟ ହେବା ଉଚିତ
ଯୁଗ ପରିବର୍ତ୍ତନେ ଉନ୍ନତିର ଏ ନିଦର୍ଶନ ଏକ।
ଗରୁ ଗୁରୁଜନ ଆତ୍ମୀୟଙ୍କ ଆଗାମୀ ଦାୟାଦ
ପ୍ରଗତିର ପଥେ ଯାଇ ପହଞ୍ଚିଲେ ଶୀର୍ଷ
ସେ ତାଙ୍କର ଗର୍ବ ଗୌରବ ଆଭିଜାତ୍ୟର ଟେକ
ଏ କଥା ହୃଦୟର ସାଥେ ହୃଦୟଙ୍ଗମ କଲେ
କାନ୍ଦିବନି ଲଣ୍ଠନ ପାଇବ ତୃପ୍ତି ଶାନ୍ତି ସନ୍ତୋଷ।