ନୂଆ ଆମ ନୂଆଖାଇ
ନୂଆ ଆମ ନୂଆଖାଇ


ଶୁଣରେ ପିଲାଏ ତୁମ ଭିତରୁ କେ
ପାରିବ କି ମୋତେ କହି
କେଡ଼େ ଖୁସି ଲାଗେ ମିଳିଲେ ତୁମକୁ
ନୂଆ ଖାତା ଆଉ ବହି ?
ନୂଆ ଖେଳନା କି ନୂଆ କଲମଟେ
ପାଇଲେ ଲାଗଇ ଖୁସି
ନୂଆ ଜିନିଷରେ ମଇଳା ଲାଗିଲେ
ଯାଅନା କି ତୁମେ ରୁଷି ?
ନୂଆ ନୂଆ ଫଳ ପାଟିକୁ ସୁଆଦ
ଖାଇଲେ ଲାଗେ କି ମଜା
ଭଲ ଲାଗେ ବୋଲି ନୂଆରେ କିଭଳି
ଖୁସିରେ ପେଁକାଳି ବଜା ।
ନୂଆ ସାଇକେଲ ନିତି ପୋଛିପାଛି
ଖୁସିରେ ତ ସଫା କଲ
କିଣା ହୋଇଥିଲେ ନୂଆ ଜାମାଟିଏ
ପିନ୍ଧିବାକୁ ଲାଗେ ଭଲ ।
ନୂଆ ଜାଗା ଏକ ବୁଲି ଆସି ଦେଖ
ପ୍ରଫୁଲ୍ଲ ଲାଗଇ ମନ
ନୂଆ ନୂଆ ଦୃଶ୍ୟ ନୂଆ ପରିବେଶ
ପାସୋରେ କି କେଉଁ ଜନ ?
ନୂଆ ସାଙ୍ଗ ସାଥେ ଭେଟ ହେଉ ହେଉ
ଅଶେଷ ଆନନ୍ଦ ମିଳେ
ହେଲେ ସବୁ ନୂଆ ପୁରୁଣା ବି ହୁଏ
ସନ୍ଦେହ ନାହିଁ ତ ତିଳେ ।
ସମୟ ସାଥିରେ ନୂତନ ଦରବ
କି ଅବା ନୂତନ ଭାବ
ନିଶ୍ଚୟ ତ ଦିନେ ପୁରାତନ ହେବ
ଦୁଃଖ କରି କେଉଁ ଲାଭ ?
ତଥାପି ତ ଦେଖ ନୂଆଖାଇ ଆଜି
ସବୁକିଛି ନୂଆ ନୂଆ
ନୂଆ ସାଜସଜ୍ଜା ନୂଆ ଲୁଗାପଟା
ବଡ଼ ହୁଅନ୍ତୁ ବା ଛୁଆ ।
ନୂଆ ଧାନ ଆଣି ଖିରି ପୁରି ସାଥେ
ପୂଜା ହୁଏ ଘରେ ଘରେ
ଭେଟଘାଟ ହେଲେ ଜୁହାର କରିବା
ଗୁରୁଜନେ ଭକ୍ତି ଭରେ ।
ମାଆ ସମଲେଇ ଆଶୀର୍ବାଦ ନେଇ
ଆରମ୍ଭ କରିବା କାମ
ନୂଆଖାଇ କେବେ ପୁରୁଣା ନୁହଁଇ
ରଖିବା ଜଗତେ ନାମ ।