ନର ହୁଏ ଇଶ୍ୱର
ନର ହୁଏ ଇଶ୍ୱର
ଜନନୀ ଜଠରୁ ଜନମ ନେଇ ତ
ଚିହ୍ନିଲି ପ୍ରଥମେ ବାପା,
ଜନମ ମୂଳରେ କେତେ ଅବଦାନ
ଏକଥା ନୁହେଁ ଅଛପା।
ମାଆର ଓଠରୁ ଯାହା ନିର୍ଗତ ସେ
ମାତୃଭାଷା ହୋଇଗଲା,
ସେହି ମାତୃଭାଷା ଜଗତ ଜନରେ
ପରିଚିତ କରାଇଲା।
ଶୈଶବ,କୈଶୋର ଅଝଟିଆ ବେଳେ
ମାତା ପ୍ରବୋଧନା ଦେଲେ,
ଭଲମଣିଷଟେ ହୋଇବା ପାଇଁ କି
ଉଦାହରଣେ କହିଲେ।
ପିତାମାତାଙ୍କର ପ୍ରେରଣା ପାଇଣ
ଭବିଷ୍ୟତ କାର୍ଯ୍ୟପନ୍ଥା,
କିଛି ସେ ଗଢନ୍ତି କିଛି ବାକିରଖି
କହନ୍ତି ମହତ କଥା।
ସତ୍ୟ,ଧର୍ମ ନ୍ୟାୟ ପଥେ ଚାଲିବାକୁ
ଥାଏ ତାଙ୍କ କଡା ନଜର,
ସେ ନ୍ୟାୟ ରେ ରହି ନୈତିକତା ପଣ
କରୁଥାଉ ତ ଜାହିର।
ସମାଜର ଜଣେ ସୁମଣିଷଟିଏ
ନୈତିକତା ଗୁଣ ଧରି,
ବାପା ମାଆଙ୍କର ପ୍ରେରଣା ଜୀବନେ
ଦିଅଇ ଆଦର୍ଶ ଭରି।
ସୁଖ ଶାନ୍ତି ଭରା ଜୀବନରେ ସଦା
ବୈକୁଣ୍ଠ ହୁଅଇ ଘର,
ନୀତି ଆଦର୍ଶ ଓ ପ୍ରେରଣା ବଳରେ
ନର ହୁଅଇ ଇଶ୍ଵର।
