ନନ୍ଦିଘୋଷ ରଥେ କଳା ବାମନ
ନନ୍ଦିଘୋଷ ରଥେ କଳା ବାମନ
ଦେଖ ଗୋ ସଜନୀ ନୟନ ତରାଟି
ନନ୍ଦିଘୋଷ ରଥେ କଳା ବାମନ
ନୟନ ପାବନ ମିଳି କୋଟି ପୁଣ୍ୟ
ସାର୍ଥକ ହୋଇବ ଆମ ଜୀବନ ।
ମାନବଲୀଳାରେ ଯାଏ ମଜି ହଜି
ଭାଇଭଉଣୀଙ୍କୁ ସାଥିରେ ଧରି
ମନ ମୋହନିଆ ସେ ବାଙ୍କଚୂଳିଆ
ରୂପେ ଲାଖିଯାଏ ଆଖି ସବୁରି ।
ସୁନ୍ଦର ପଣରେ ଜଗତ ନେତ୍ରରେ
କୋଟି କୋଟି ଚାନ୍ଦ ତାଠାରୁ ଫିକା
ଗୁଣେ ବଳୀୟାନ ଜଗତଜୀବନ
କୋଟିଏ ପତିତ ଉଦ୍ଧରେ ଏକା ।
ଗଡ଼ିଯାଏ ରଥ ଭକତ ଗହଣେ
ଝୁଲିଝୁଲି ସିଏ ଆଗକୁ ଯାଇ
ବାଙ୍କଚାହାଁଣିରେ ଅନାଇଁ ଭକତେ
ରଙ୍ଗ ଅଧରରେ ଟିକେ ହସଇ ।
ସେତେ କି ସୁନ୍ଦର ଅଦିତି କୁମର
ବୋଇଲେ ବି ଯେତେ ତାହାର ଶୋଭା
ସରିବନି କେବେ ମାନବ ନେତ୍ରରେ
ସଦା ବିଛୁରିତ ପରା ତା' ପ୍ରଭା ।
ମାଆ ଡାକ ଦିଏ ବରଷକେ ଥରେ
ତାହାର କୋଳକୁ ଯାଏ ସେ ଧାଇଁ
ସାତଦିନ ରହି ଜନମବେଦିରେ
ଖୁସି ହୁଏ ହାତ ପରଷା ଖାଇ ।
ଆଷାଢ଼ ଶୁକଳ ଦ୍ବିତୀୟାରେ ଯାଏ
ଫେରଇ ବାହୁଡ଼ା ଦଶମୀ ଦିନ
ଘୋଷଯାତ୍ରା ନାମେ ତା'ର ଏ ଯାତରା
ହୁଅଇ ଧରି ପରା ନଅଦିନ ।
ହେରାପଞ୍ଚମୀରେ କ୍ରୋଧ ଶାନ୍ତ କରି
ମହାଲକ୍ଷ୍ମୀଙ୍କୁ ସେ ଦିଅନ୍ତି କଣ୍ଟ
ଫେରିଲା ବାଟରେ ମାଉସୀ ମାଆର
ପୋଡ଼ପିଠା ଖାଇ ହୁଅନ୍ତି ତୁଷ୍ଟ ।
ଭକତ ରଡ଼ିରେ କମ୍ପେ ବଡ଼ଦାଣ୍ଡ
ଭାବଭକତିର ସ୍ରୋତ ପ୍ରବାହେ
ତରିଯାନ୍ତି ଭକ୍ତେ ପତିତ ସହିତେ
କଳାମାଣିକକୁ ଅନାଇଁ ସ୍ନେହେ ।।
