STORYMIRROR

Sarada Parida

Abstract Inspirational

3  

Sarada Parida

Abstract Inspirational

ନିରୁଦ୍ଦିଷ୍ଟ ଦେବତା

ନିରୁଦ୍ଦିଷ୍ଟ ଦେବତା

2 mins
14K


 

                  ନିରୁଦ୍ଦିଷ୍ଟ ଦେବତା  

ସକାଳ ପାହିବା ବେଳକୁ

ଘଣ୍ଟ ଘଣ୍ଟା,

କାହାଳୀର ଗର୍ଜନ

ସିଂହ ଦ୍ଵାରରେ ହକାରି ହୁଏ ଭକ୍ତ

ହେ ଦେବତା କେଉଁଠି ଅଛ

ପଟି ପରେ ପଟି

ଖଞ୍ଜା ଯାଏ ଆଭୂଷଣ

ଆଳତି ମହ ମହ ଧୂପ ଦୀପର

କେଡେ ବିଚକ୍ଷଣରେ

ସଜେଇ ଦେଉଛି ପ୍ରତିମାକୁ  ସେବକ

ହେଲେ, ହେ ଦେବତା

ତମେ କେଉଁଠି ଅଛ ?

 

ଆର କଡେ ମଣିଷ ପଣିଆକୁ

ନଗ୍ନ ଦେହରେ

ଅଟ୍ଟହାସ୍ୟ କରେ  ପାଗଳ

ଶ୍ଵାନ ସହ ଛଡା ପଡା ,

ଗଲା କାଲିର ବାସି ଭୋଗ ପାଇଁ ।  

ହାରୁ ହାରୁ ପ୍ରଶ୍ନ ଛାଡେ

ହେ ଦେବତା କେଉଁଠି ଅଛ?

 

ଭିଡ ଲାଗେ

ଦୀନ ଠୁ ଦାନବୀର ପର୍ଯ୍ୟନ୍ତ

ସମସ୍ତେ ଅଣ୍ଟି ପତାନ୍ତି

ଡାଲା ଭର୍ତ୍ତି ଭୋଗ

ପୋଡା ମୋବିଲର ଆଳତିରେ

ବଖାଣ କରନ୍ତି ; 

ଝିଅ ବାହା ଠୁ

ଗଗନଶ୍ଚୁମ୍ବୀ ଅଟ୍ଟାଳିକାର ଠିକା ଯାଏଁ

ଗୋଟାଏ ପରେ ଗୋଟାଏ

ଅଭିଯୋଗ ଫର୍ଦ୍ଦ

ତଥାପି ମନ ମାନେନି

ଲାଭ କ୍ଷତିର ହିସାବ ଭିତରେ

ଖୋଜି ବସେ ମଣିଷ

ହେ ଦେବତା କେଉଁଠି ଅଛ?

 

ରେଡ କାର୍ପେଟ ବିଛାଯାଏ

ଧାଇଁ ଆସନ୍ତି ନେତା

ଲାଗେ ଶହେ ଚଉରାଳିଶ ଧାରା

କଣ ମାଗନ୍ତି ଆଉ ପଥରଟାକୁ

ନିରୋଳାରେ  କେଜାଣି !

ସବୁକିଛିତ ହାତ ମୁଠାରେ ?

ଲେଉଟାଣିକି 

ତୁଛା ଭକ୍ତି ର ପ୍ରଦର୍ଶନ

ଅଜାଡି ଦିଅନ୍ତି ହୁଣ୍ଡି ଭର୍ତ୍ତି ଟଙ୍କା ।

ଛଡା ପଡା ଲାଗେ

ଖୋଜା ହୁଏ ଯଜମାନିର ହିସାବ

ଆର କଡେ ତଡା ଖାଏ ଅନ୍ଧ ଦମ୍ପତ୍ତି

ଦରୁଆନର ଦାଉରେ

ପ୍ରଶ୍ନ କରେ

ହେ ଦେବତା କେଉଁଠି ଅଛ?

 

ଏପଟେ  ହିସାବ ଛିଣ୍ଡେନି

ବଳ ପୁରୁବାର ଦାଦାଗିରି

ସବୁବେଳେ !

ଉପରୁ ତଳ ପର୍ଯ୍ୟନ୍ତ ଆସିବା ବେଳକୁ

କଣ ଆଉ ବଞ୍ଚୁଛି ଯେ ;

ନିରୀହ ବ୍ରାହ୍ମଣର ଭାଗ ପଡେନି

ପ୍ରଶ୍ନ କରେ

ହେ ଦେବତା କେଉଁଠି ଅଛ ?

 

ତେଣେ ଦେବତା  ନିରୁଦ୍ଧିଷ୍ଟ

ମନ୍ଦିରରୁ

ଧର୍ମ ଆଉ ଧନର

ଠିକାଦାରଙ୍କ ତାଡନାରେ 

ଏଣିକି ଦେଉଥାଅ ନୈବେଦ୍ୟ

ମହକୁଥାଉ ଚନ୍ଦନର ଗନ୍ଧ

ବାଣ୍ଟୁ ଥାଅ ପାଉଣା

ଥାପୁଡାଇ ହାତ ;

ସିଏ ତ ଅଗୋଚରରେ

ଯୋଗାଡରେ ଅଛି

ମେଣ୍ଟିବାରେ ନାନା ମତେ

ଗରିବର ଭୋକ । 

 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract