ନିରୋଳା ପ୍ରେମ
ନିରୋଳା ପ୍ରେମ
ଦିନେ ଅଧା ରାସ୍ତାରେ
ଭେଟ ହେଲା
ପ୍ରେମର ପ୍ରେମ ସହିତ
ଆଖିରେ ଆଖି ମିଶିଲା
କିଛି ନୀରଵତାର
ଆସ୍ତରଣ ଜମିଲା
ପରେ ପରେ ଶୀତଳ ପବନରେ
ପ୍ରେମର ବାସ୍ନା ଛୁଟିଲା
ପ୍ରେମ କହିଲା ପ୍ରେମକୁ
ଚାଲ୍ ଟିକେ
ନିରୋଳା ରେ ପ୍ରେମ କରିବା
ପ୍ରେମର କଥା ଶୁଣି
ପ୍ରେମ ଅଳ୍ପ ଲାଜେଇ ଗଲା
ଆଉ କହିଲା
ହେଲେ କୋଉଠି କି ଯିବା?
ପ୍ରେମ କହିଲା
ନଈପଠା ନହେଲେ ଝାଉଁଵଣ।
ଯଦି ଭଲ ନ ଲାଗେ
ସମୁଦ୍ର କୂଳରେ ଟିକେ
ହାତକୁ ହାତ ଛନ୍ଦି ଵୁଲି ଆସିବା।
ଏ କଥା ଶୁଣି
ପ୍ରେମ କହିଲା
ଧେତ୍ ଏ ସବୁ ତ ପୁରୁଣା ହେଲାଣି
କିଛି ନୂଆ ଠିକଣା କହୁନା
ଯୋଉଠି ଖାଲି ତମେ ଥିବ
ମୁଁ ଥିଵି ଆଉ ପ୍ରେମ ହିଁ ପ୍ରେମ ଥିବ
ଅବିଶ୍ୱାସ, ଛଳନାର ଲେଶ ମାତ୍ର
ସ୍ଥାନ ନ ଥିବ
ପ୍ରେମ କହିଲା ତାହେଲେ ଚାଲ୍
ଆମେ ରାସ୍ତା କଡେ ଠିଆ ହୋଇ
ଗୋଟେ କପ୍ ଚା କୁ ଅଧା ଅଧା ପିଇବା
ବଗିଚାରେ ଵୁଲି ଛିଟ ପ୍ରଜାପତି ଧରିବା
କିଛି ଅଜଣା କଅଁଳ ପିଲାଙ୍କ ସହ
ସମୟ କାଟିବା
ରାସ୍ତାରେ ବୁଲୁଥିବା ନିରୀହ
ପଶୁମାନଙ୍କୁ ଟିକେ
ଆତ୍ମୀୟତା ବାଣ୍ଟିଵା
ଆଉ ଚାଲି ଚାଲି ଥକି ଗଲେ
ବରଗଛ ମୂଳେ ଟିକେ
ଥକ୍କା ମେଣ୍ଟିଵା
ଝାଳ ସରସର ମୁହଁକୁ
କିଛି ତୁ କିଛି ମୁଁ
ମିଶି ପୋଛିବା
ଅଚାନକ ଯଦି ଅଦିନିଆ ମେଘଟା
ଆସି ଵରଷିଯାଏ
କିଛି ତୁ କିଛି ମୁଁ
ଦୁହେଁ ମିଶି ଭିଜିବା
କଣ କହୁଚୁ!
ଚାଲ୍ ଦୁହେଁ ନିରୋଳାରେ
କିଛି ଖୁସି କିଛି ପ୍ରେମ ବାଣ୍ଟିଵା..
ଚାଲ୍ ସଭିଙ୍କୁ ଲୁଚି ଟିକେ
ନିରୋଳାରେ ପ୍ରେମ କରିବା.....

