ନିଜେ ମୁଁ ବୁଝି ପାରିଲି
ନିଜେ ମୁଁ ବୁଝି ପାରିଲି




ସିଧାକଥା-୨୭
ମାଆ କହିଲେ-ପିଲାଟିବେଳେ ପାଇବୁ ଯଦି ହରି,
ବିପଦବେଳେ ତାଙ୍କରି ନାମ ଧରିବୁ ପାଟିକରି ।
ପୁରୋହିତଟି କହିଲେ-ବାବୁ ପୂଜାରେ ଦେବୁ ମନ,
ବ୍ରାହ୍ମଣ-ଦୁଃଖୀ ଗରିବ ଦେଖି କରିବୁ ନିତି ଦାନ ।
ଶିକ୍ଷକ ମୋର କହିଲେ-ଶୁଣ ପାଠରେ ଦେବୁ ଧ୍ୟାନ ।
ସବୁ ଦେବତା ମିଳିବେ ବଳେ ପାଖରେ ଥିଲେ ଜ୍ଞାନ ।
ବଡ଼ ହେବାରୁ ବୁଝିଲି ପୁଣି ସବୁଠୁଁ ବଡ଼ ଧନ,
ଧନ ବଳରେ କିଣିବି ମୂର୍ତ୍ତି ଆସିବେ ଭଗବାନ ।
ବାବାଜୀ ଜଣେ କହିଲେ-ମୋତେ କରିବୁ ଯଦି ଗୁରୁ,
ନେଇଯିବି ମୁଁ ଈଶ୍ଵର ପାଶେ ଯଦି ବିଶ୍ୱାସ କରୁ ।
ପଢିଲି ବାଛି ଶାସ୍ତ୍ରରେ ଲେଖା ମନ୍ଦିର ମୋର ଦେହ,
ତହିଁରେ ହରି ବିରାଜିଛନ୍ତି ଦେଖାନ୍ତି ନାହିଁ ମୁହଁ ।
ବିବେକ ରୂପେ ଆଦେଶ ଦିଏ ମୋ ଆତ୍ମା ନାରାୟଣ,
ମନ ତା' ଦାସ ଅମାନିଆଟା କରୁଛି ହଇରାଣ ।
ଆପଣା ଦୋଷେ ମରିଲେ ପ୍ରାଣୀ ଦିଏ ହରିଙ୍କ ଦୋଷ,
ମୋ ପାଶେ ପାଣି ଅଛି ନ ଜାଣି ଲାଗୁଛି ମୋତେ ଶୋଷ ।