ନୀତି
ନୀତି
ଜୀବନ ମୋହର
ମରୁଚଲା ବାଲି,
ସପନ ଶୁଖିଲା ନଈ ।
କଳା ସାଧନାରେ
ସହରକୁ ଆସି
ବନିଗଲି ବନ୍ଧୁ ଭାଇ ।।୧।।
ଚଲା ବାଟ ଏଠି ,
ସୁଖ ଦୁଃଖ ଭରା
ଯନ୍ତ୍ରଣାର ପୁଣି ଛାଇ ।
ବାସ ହରା ଏଇ
ଜୀବନ ସଂଘର୍ଷ,
ନୀତି ଯେ ବଞ୍ଚୁଛି
ଆଖିର ଲୁହକୁ ପିଇ ।।୨।।
କିଏ , ଏଠି ଖୁସି,
ଆନନ୍ଦେ ଭାସୁଛି
କେତେ ନାନା ଗୀତ ଗାଇ ।
ନିନ୍ଦା ଅପବାଦ,
ଡାଙ୍ଗୁରା ପିଟୁଛି
କେତେ ନିର୍ଯାତନା ଦେଇ ।।୩।।
ଦିନ କଟେ ଏଠି,
ସାଧନା ଚଟାଣେ
ରଙ୍ଗ-ତୁଳୀ ଭାବ ନେଇ ।
ରେଖା ଚିତ୍ର କରି,
"ନୀତି"ରାତି କଟିଯାଏ
ବରମୁଣ୍ଡାରେ ଶୋଇ ।।୪।।
ଭୁଲିଯାଏ ଏଠି,
ନିଜ ପରିଚୟ
ସାଧନାରେ ଧାଇଁ ଧାଇଁ।
ଲକ୍ଷ ସ୍ଥଳ ସାଜେ
କଣ୍ଟକିତ ଫୁଲ ,
ବିଜୟର ଆଶା ପାଇଁ ।।୫।।
