ନୀରବତା
ନୀରବତା
ନୀରବତା ଏକ ଧ୍ୟାନ ଯୋଗ ଅଟେ
ମନକୁ ରଖଇ ଶାନ୍ତ
ମୌନ ରହିବା ଭଲ ଗୁଣଟିଏ
କ୍ରୋଧକୁ କରେ ଆୟତ୍ତ ।
ନୀରବତା ଅସ୍ତ୍ର କରିଲେ ପ୍ରୟୋଗ
ସମସ୍ୟାରୁ ମିଳେ ମୁକ୍ତି
ବେଶୀ ବାକ୍ୟ ବ୍ୟୟ କରୁଥିଲେ ସଦା
କେହି ଭଲ ନ ପାଆନ୍ତି ।
ଅନ୍ୟାୟ ଅନୀତି ଦେଖିଲେ ନେତ୍ରରେ
ପ୍ରତିବାଦ ଯେ କରିବ
ସେତେବେଳେ ଯିଏ ନୀରବ ରୁହଇ
ନୁହଁଇ ସିଏ ମାନବ।
ନୀରବ ରହିଣ ଆଖିର ଆଗରେ
ଦେଖିଲେ ଖରାପ କର୍ମ
ମନୁଷ୍ୟ ଜନମ ପାଇବା ତାହାର
ହୋଇଯାଏ ଅକାରଣ।
ଗୁରୁଜନଙ୍କର ଉପଦେଶ ବେଳେ
ବିରୋଧ କରିବ ନାହିଁ
ନୀରବତା ଅବଲମ୍ବନ କରିଲେ
ଖୁସି ହୋଇଯିବେ ସେହି।
ରାଗରେ ଜର୍ଜର ହୋଇ ଥିବ ଯେବେ
ନୀରବତା ଆଚରିଲେ
ଠିକ୍ ପଦକ୍ଷେପ ନେଇ ଯେ ପାରିବ
ରାଗ ଶାନ୍ତ ହୋଇଗଲେ।
ନୀରବରେ ବସିଗଲେ ନିରୋଳାରେ
ଅପୂର୍ବ ଶାନ୍ତି ମିଳଇ
କଳି ଝଗଡ଼ାରେ ନୀରବ ରହିଲେ
ଶତ୍ରୁ ଯାଏ ଚୁପ୍ ହୋଇ।
ମୂର୍ଖଙ୍କ ସଭାରେ ପଣ୍ଡିତ ବିଦ୍ୱାନ
ନୀରବ ହୋଇଣ ଯାଏ
ଯେପରି ବେଙ୍ଗର ଗର୍ଜନକୁ ଶୁଣି
ପୀକଟି ନୀରବ ରହେ।
ମୁନି ଋଷି ମାନେ ନିରବତା ବ୍ରତ
କରିଥାନ୍ତି ଆଚରଣ
ଇନ୍ଦ୍ରିୟ ମାନଙ୍କ ସହିତେ ଆୟତ୍ତ
ହୁଅଇ ଚଞ୍ଚଳ ମନ ।
ନୀରବତା ଅବଲମ୍ବନ କରିଲେ
ବଢ଼ିଥାଏ ବୁଦ୍ଧି ଜ୍ଞାନ
ପରିସ୍ଥିତି ଦେଖି ଚିନ୍ତାକରି କହେ
ସିଏ ଅଟେ ବୁଦ୍ଧିମାନ।।
