ନୀରବ ସଂପର୍କ
ନୀରବ ସଂପର୍କ


ମନ ଉପବନେ
ଥିଲ ଏକା ତୁମେ
ମୋ ମନ ମଧୁର ବାସ,
ଅଦିନେ ଝରିଲ
ବୃନ୍ତ ଚ୍ୟୁତ କଲ
ପାଏନି ତୁମ ପରଶ ।
ଖୋଜେ ଉପବନ
ମକ୍ଷିକା ମୋ ମନ
ତୁମ ଓଷ୍ଠ ମିଠା ମଧୁ ,
ଖୋଜେ ପରିବେଶ
ଖୋଜେ ମୋ ନିଶ୍ବାସ
ତାଜା ତାଜା ବାସ ସିନ୍ଧୁ ।
ତୁମେ ହଜିଗଲ
ଗଲ ବହୁଦୂର
ସ୍ମୃତି ମୋ ମନରେ ଲେଖା ,
ଡେଇଁ ନାହିଁ ମୁହିଁ
ଡେଇଁ ମୁଁ ପାରୁନି
ତୁମରି ଲକ୍ଷ୍ମଣ ରେଖା ।
ନୀରବେ ଦେଖୁଛି
ନୀରବେ ସହୁଛି
ଆନ୍ଦୋଳିତ ଅନ୍ତରାତ୍ମା ,
ତେବେବି ଭୁଲିନି
ଭୁଲି ମୁଁ ପାରୁନି
ନିତି ଲଭେ ତୁମ ସତ୍ତା ।
ମୋ ମନ ସପନ
ରାଜ୍ୟେ ତୁମ ମନ
ପକ୍ଷୀରାଜ ଘୋଡ଼ା ଚଢ଼ି ,
ନିତି ବୁଲି ଆସେ
ମୋ ମନ ନିରାଶେ
ନୀରବ ସଂପର୍କ ଯୋଡ଼ି ।
ନୀରବର ସତ୍ତା
ଜୀବନେ ସାଇତା
ନାହିଁ କେହି ପ୍ରତିବାଦୀ,
ଆତ୍ମାର ପ୍ରଣୟ
ରଚେ ସୁଧାମୟ
ଆତ୍ମାରେ ଆତ୍ମାକୁ ଛନ୍ଦି ।
ଥାଅ ଦୂରେ ଯେତେ
ମନ ଖୋଜେ ସେତେ
ନିରବତା କରି ସାଥୀ ,
ହଜାଇଲା ଚକ୍ଷୁ
ଯାଇନ ମୋ ବକ୍ଷୁ
ତୁମେ ମୋ ମନ ସାରଥୀ ।
ନୀରବ ସମ୍ପର୍କେ
ବନ୍ଧା ଦୁଇ ପ୍ରାଣ
ଖୋଜନ୍ତି ଦୁହେଁ ଦୁହିଁଙ୍କୁ ,
ତୁଟିବନି କେବେ
ଏ ପ୍ରେମତ ଏବେ
ଅମର କାଳ କାଳକୁ ।