ନୀଳପରୀ
ନୀଳପରୀ
ତୁମେ ନୀଳପରୀ ମୁଁ ନୀଳସପନ
ଅନ୍ଧାରେ ଅନ୍ଧାର ରାତି
ତୁମପାଇଁ ଲେଖେ ସ୍ନିଗ୍ଧ ଶୀତଳ
ଅମର ପ୍ରେମର ଗୀତି I
ଅଥଳ ଅତଳ ମହୋଦଧି ପରି
ଗଭୀର ପ୍ରେମର ଭାଷା
ତୁମ ନୀଳ ଆଖି ବର୍ଣ୍ଣିବା ବେଳକୁ
ଘାରିଯାଏ ମୋତେ ନିଶା I
ଉତ୍ତାଳ ଯୌବନା ସପନ ସୁନ୍ଦରୀ
ଜୋଛନାର ଶୀତଳତା
ତୁମକଥା ଟିକେ ଭାବିଦେଲେ ସଖୀ
ଭାଙ୍ଗେ ମୋର ନୀରବତା I
ଅମରାବତୀର ସୁଷମା ମଣ୍ଡିତ
ତୁମ ଅବୟବେ ସଖୀ
ଅମର ପ୍ରେମର ଅମର କାହାଣୀ
ଆଖିରେ ଦିିଏ ମୁଁ ଲେଖି I

