ନୀଳମଣି ବିଦ୍ୟାରତ୍ନଙ୍କ ସ୍ମରଣେ
ନୀଳମଣି ବିଦ୍ୟାରତ୍ନଙ୍କ ସ୍ମରଣେ
ଉତ୍କଳ ଜନନୀ ବରପୁତ୍ରମଣି
ନୀଳମଣି ବିଦ୍ୟାରତ୍ନ
ଭାଷା ସଂରକ୍ଷଣେ ରାଇଜ ଗଠନେ
ଉତ୍କଳର ଭଗୀରଥ |
ଘୋର ସନ୍ଧିକ୍ଷଣ ଭାଷା ବିଲୋପନ
ପଡୋଶୀ କ୍ରୁର ଚକ୍ରାନ୍ତ
ବ୍ରିଟିଶ ଶାସିତ ଓଡ଼ିଆ ଭାଷିତ
ଅଞ୍ଚଳ ଯେତେ ସୀମାନ୍ତ |
ଜନନୀର ପିଣ୍ଡ କରି ଖଣ୍ଡ ଖଣ୍ଡ
ବଙ୍ଗ ଆନ୍ଧ୍ର ବିହାରରେ
ମିଶାଇଲେ ନେଇ ଓଡ଼ିଆ ଉଡ଼େଇ
ନିଜ ଭାଷା ସ୍ଥାପି ବଳେ |
ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ ବ୍ୟକ୍ତ
କଲେ ମିଳିମିଶି ଖଳେ
ଏହି ସମୟରେ ଗ୍ରାମ ବୈଦେଶ୍ଵରେ
କଟକ ବାଙ୍କୀ ମଣ୍ଡଳେ |
ସନ ଉଣେଇଶ ସତଷଠି ମାସ
ନଭେମ୍ବର ଚଉଦରେ
ଜନ୍ମି ନୀଳମଣି ଦେଖାଇ କରଣି
ସାହା ହେଲେ ବିପଦରେ |
ବାଲ୍ୟ କାଳୁ ତାଙ୍କ ପ୍ରତିଭା ଶଶାଙ୍କ
ପ୍ରତିଫଳି ସମୁଜ୍ଜଳେ
କଲେ ଶିକ୍ଷକତା ଦର୍ଶାଇ ଦକ୍ଷତା
ବାମଣ୍ଡା ଦୁର୍ଗମାଞ୍ଚଳେ |
ରାଜା ବାସୁଦେବ ଶ୍ରୀସୁଢଳ ଦେବ
ଦେଖି ତାଙ୍କ ବିଜ୍ଞ ପଣ
ସ୍ୱତନ୍ତ୍ର ଉତ୍କଳ ମନ୍ତ୍ରେ ଉର୍ଜସ୍ୱଳ
ଜାତୀୟ ପ୍ରୀତି ଲକ୍ଷଣ |
ସେ ସମ୍ବଲପୁର ହିତଇଷିଣୀର
ସମ୍ପାଦକ ଦାୟିତ୍ୱରେ
ଭାଷା ଆନ୍ଦୋଳନ କରିଲେ ଜ୍ୱଳନ
ପଶ୍ଚିମ ଗଡ଼ଜାତରେ ।
ନବ ଉତ୍କଳର ନିର୍ମାଣ ସ୍ୱପ୍ନର
ଆଦ୍ୟ ରୂପକାର ରୂପେ
ସେହି ସମୟର ଉତ୍କଳର ବର
ପୁତ୍ର ସହ ଯୋଡ଼ି ନୃପେ |
ରାୟ ରାଓ ସେନା- ପତି ମହାମନା
ବିଶ୍ଵନାଥ ଗଙ୍ଗାଧର
ରାଜା ଜଳନ୍ଧର ଦେବ ସହିତର
ମେଳ ଗଉରୀ ଶଙ୍କର |
ଗଞ୍ଜାମରେ ଯାଇ ଲୋକଙ୍କୁ ବୁଝାଇ
ରଚି ଗଞ୍ଜାମାନ୍ଦୋଳନ
ଆଦ୍ୟ ଆନ୍ଦୋଳନ ପାଇ ନିମନ୍ତ୍ରଣ
ମଧୁବାବୁ ଆଗମନ |
ଉତ୍କଳ ସମ୍ମିଳ- ନୀର ଅନାବିଳ
ଚିନ୍ତନ ହେଲା ଜନନ
ହେଲା ସଂଗଠନ ନବ ଜାଗରଣ
ଜାତି ମୁକ୍ତି ଆନ୍ଦୋଳନ |
ମାତିଲା ଏ ଜାତି ଗରଜିଲା ତାତି
ସର୍ବେ ଉତ୍କେଶରୀ ସମ
ମଧୁ ନୀଳମଣି ତେଜଭରା ବାଣୀ
ଆଣିଲା ବଳ ବିକ୍ରମ |
କଠୋର ଶପଥ ଦେଶ ସେବା ବ୍ରତ
ଆଜୀବନ ନେଲେ ବରି
ବିଧବା ବିବାହ ପ୍ରଚଳନ ଥୟ
ବାଲ୍ୟ ବିଭା ବନ୍ଦ କରି |
ସଂସ୍କାରକ ରୂପେ ସ୍ପଷ୍ଟ ବାଦୀ ଦର୍ପେ
ଉଡ଼ାଇ ଯଶ କେତନ
ସନ ଉନବିଂଶ ଜୁଲାଇ ଛବିଶ
ଜୀବନର ନିର୍ବାପନ |
ସେବା ତିତିକ୍ଷାର ଅମ୍ଲାନ ଦୀକ୍ଷାର
ଅଲିଭା ସ୍ଵାକ୍ଷର ଧରି
ଜନ୍ମ ଦିବସରେ ଆକୁଳ ଅନ୍ତରେ
ଦେଉଅଛୁ ଶ୍ରଦ୍ଧାଞ୍ଜଳି ।
