ନୀଳ ପରୀ
ନୀଳ ପରୀ
ଚିକିମିକି ତାରାଫୁଲରେ ସଜେଇ
ସପନର ଖୁସିଡାଲା
ରୂପାର ରୋଷଣୀ ଜାଳି ଜାଳି ନିତି
ହୃଦୟ ହୋଇଛି ଖୋଲା ।
ଆଖିର ଆକାଶେ ସାଗର ଗାଉଛି
ସାରେଗାମା ପାଧାନିସା
ମନ ତଳେ ନାଚେ କଦମ୍ବ ଫୁଲର
ସୀମାହୀନ ଶେଷ ଆଶା ।
ସୁଖର ଶିଡ଼ିରେ ବିଛେଇଛ ତୁମେ
ପ୍ରେମର ଗଜରା ହାର
ହାତଠାରି ଡାକ ଆପଣା ପଣରେ
ତୋଳିବାକୁ ଟିକି ଘର ।
ଛାଇପରି ଥାଅ ପାଖେ ପାଖେ ମୋର
ସୋହାଗର ରେଣୁ ବୁଣି
ଅଳପ କଥାରେ ଅଳପ ଛୁଆଁରେ
ହୃଦୟକୁ ଦିଅ ହାଣି ।
ସବୁଜ ଗାଲିଚା ତଳେ ଥାଇ ଯେବେ
ହାତ ଠାରି ମୋତେ ଡାକ
ରାତି ଅନ୍ଧାରରେ ଚମକି ଚାହାନ୍ତି
ଦୁନିଆ ଯାକର ଲୋକ ।
ଦିଅନ୍ତ'କି ମୋତେ ତୁମପରି ଗୋଟେ
ଦେହରେ ଡେଣା ଲଗେଇ
ହସି,ଖେଳି,ବୁଲି ଖୁସିରେ ଡିଅନ୍ତି
ନୀଳ ପରୀ'ଟିଏ ହୋଇ ।
