ନଈ ଗାଧୁଆ
ନଈ ଗାଧୁଆ
ନାନୀ ଆ.. ଗାଧି ଯିବା ନଈକୁ
ବଢ଼ୀ ପାଣି ପରା ଦେହକୁ ହିତ ଲୋ
ନିଇତି ଯିବା ସେ କୂଳକୁ।
ସୁନ୍ଦୁରୀ କରିବା ଦେହକୁ
ବାସନା ସାବୁନ, ହଳଦୀ ବଟୁଆ
ଭୁଲିବୁନି ନେଇ ଯିବାକୁ ।
ଦେହରେ ମାଲିସ ହେବାକୁ
ଅଁଳା ତେଲରୁ ନେଇଥିବୁ ଟିକେ
ମାଖି ମହକିବା ଦୁରକୁ।
ବାଡ଼ିରୁ ଆଣ ଲୋ ଜହ୍ନିକୁ
ଜହ୍ନି ଚୋପାଖଣ୍ଡେ ସାବୁନ ଲଗେଇ
ଘସି ଦେବି ତୋ ପିଠିକୁ ।
ଚ଼ାଲୁଥିବୁ ପାଦ ଚ଼ାପି କି
ଅଙ୍କାବଙ୍କା ସେଇ ବିଲର ବାଟ ଲୋ
ଖାଲ ଖମା କାଟେ ପାଦକୁ।
ଚ଼ାଲିଚ଼ାଲି ସୁଖା ପାଦକୁ
ମୁଗୁନି ପଥର ପଡ଼ିଛି ହୁଡ଼ାରେ
ଫଟା ଗୋଡ଼ ଘସି ହେବାକୁ ।
ମନଲାଖି ଲୁଗା ସବୁକୁ
ଯାକିଥା କାଖରେ ସମ୍ବଲପୁରୀ ଲୋ
କାଞ୍ଚଲା ବାନ୍ଧିବା ପିଠିକୁ।
ମାରିବା ଗଭା ଗଜରାକୁ
ନାଗୁଣୀ ପରିକା ହଲେଇ ଚ଼ାଲିବା
ଅଣ୍ଟା ତଳଯାଏଁ ବେଣିକୁ ।
ଧରିଥିବା ଦୁଇ ଚ଼ାରି ଡେକଚ଼ି
ପାଣି ଭରି ମୁଣ୍ଡରେ ବୋହି ଆଣିବା ଲୋ
ନିତ୍ୟ ବ୍ୟବହାର କରିବାକୁ ।
ଦେଖି ଆମ ଯଉବନକୁ
ବାଟରେ ଭେଣ୍ଡିଆ ବୁଲି ଚ଼ାହିଁବେ ଲୋ
ନିଘା କରିବୁନି ତାହାଙ୍କୁ
ନାନୀ ଆ.. ଗାଧି ଯିବା ନଈକୁ ।
