ନିଆରା ପଣ ତୁମର
ନିଆରା ପଣ ତୁମର
କିଛି ଗୋଟିଏ ନିଆରା ପଣ
ଖୁବ ବାରିହୁଏ ତୁମ ପାଖରୁ,
ଯେତେ ଦୂରେଇଲେ କାହିଁକି କେଜାଣି
ବାସ ଛୁଟୁଥିଲା ତୁମ ଅନ୍ତରୁ ।
ପତନ ମୁଖରୁ ନୀରବେ ନୀରବ
ସାଧକ ହୋଇ ତୁମେ ହିଁ ଉଦ୍ଧାର ,
ସେଥିପାଇଁ ତୁମେ ସ୍ତ୍ରୀ ନାମ ଥାଇ
ପତ୍ନୀ ବୋଲି ଜାଣେ ଏ ସଂସାର ।
ନାରୀ ହୋଇ ତୁମେ ନାରାୟଣୀ ହୁଅ
ମମତା ବାତ୍ସଲ୍ୟମୟୀ,
ନ ଅରି ତୁମେ କାହାର ବି ଶତୃ
ତୁମେ ତ ଜଗତ କଲ୍ୟାଣ ମୟୀ ।
ସ୍ତ୍ରୀର ସୁନ୍ଦର ଗୁଣକୁ ଈଶ୍ୱର
ଭରିଛନ୍ତି ଦେହେ ତୁମ,
ଜଗତ ଜଞ୍ଜାଳ କାନିରେ ବାନ୍ଧିଣ
ପିଇଯାଅ ବିନା ପ୍ରତିବାଦେ ।
ତୁମେ ଗଢିଦିଅ ମୋ ଛୋଟ ଘରକୁ
ପବିତ୍ର ବୈକୁଣ୍ଠ ପୁର,
ଅନ୍ନପୂର୍ଣ୍ଣା ନାମ ସାର୍ଥକ କରୁଛ
ଫେରେନାହିଁ କେହି ନିଃସ୍ଵ ହାତର ।
ପାଖେ ପାଖେ ରହି ସ୍ନେହ ପ୍ରେମ ଦିଅ
ନ ରଖି ଆଶା କି ଲୋଭ,
ଯେତେବେଳେ ଯାହା ମିଳଇ ତୁମକୁ
କରୁଥାଅ ସୁଖେ ଭୋଗ ।
ସ୍ତ୍ରୀ ତୁମେ ମୋର ପରାମର୍ଶ ଦାତା
ଅଭିଜ୍ଞ ସୁଚିକିତ୍ସକ,
ସକାଳରୁ ରାତି ଦୁଇଘଡି ଯାଏ
ଖଟୁଥାଅ ମନେ ନଥାଏ ଦୁଃଖ ।
ଜଣେ ହୋଇ ତୁମେ ଭିନ୍ନ ଭିନ୍ନ ନାମେ
ଏ ଜଗତେ ପରିଚିତ,
କେତେବେଳେ କନ୍ୟା, ଭଗିନୀ ଜନନୀ
ଜାୟା ରୂପେ ଅଧିଷ୍ଠିତ ।
ନାରୀ ନାରାୟଣୀ ପତ୍ନୀ ତୁମେ ମୋର
ସ୍ତ୍ରୀ ନାମ କର ସାର୍ଥକ,
ଏ ଜୀବନେ ମୋର ହାତ ଛାଡିଦେଇ
କରିବନି ପର ସଦା ରହିବ ପାଖ ।
