ନିଆଁ
ନିଆଁ


ତୁମେ ସେଦିନ ବର୍ଷାରେ ଭିଜୁଥିଲା ବେଳେ
କାହିଁକି କେଜାଣି ମୁଁ ବେଶ୍ ଖୁସି ଥିଲି
ଭାବିଥିଲି ଭେଟ ହେଲା ପରେ
ମୋ ଭିତରେ ଜଳୁଥିବା ଅସଂଖ୍ୟ ଅବଶୋଷର
ତତଲା ନିଶ୍ବାସ ସବୁ ବାଷ୍ପୀଭୁତ ହୋଇଯିବ
ତୁମ ଓଦାଲୁଗାର ଶୀତଳ ଛୁଆଁରେ।
କିନ୍ତୁ ଏ କଣ !
ତୁମ ଦେହରୁ ଭାସି ଆସୁଥିଲା ପୋଡ଼ା ଅଙ୍ଗାରର ଗନ୍ଧ
ତୁମ ଭିତରେ ଜଳୁଥିବା ଆଗ୍ନେୟଗିରି
ଆର୍ତ୍ତଚିତ୍କାର କରୁଥିଲା ଆତ୍ମପ୍ରକାଶ ପାଇଁ
ଆଖି ବାଟ ଦେଇ ବାହାରି ଆସିବାକୁ କରୁଥିଲା ଆପ୍ରାଣ ଉଦ୍ୟମ
ବର୍ଷା ଛିଟା କୁହୁଡ଼ି ସାଜୁଥିଲେ ଛୁଇଁ ତୁମ ଦେହ ଓ ମନକୁ
ଓ ମୁଁ ସେଇ ଧୂଆଁ ପୁଷ୍କରିଣୀ ଭିତରେ
ଖୋଜୁଥିଲି ନିଜକୁ ଓ ତୁମକୁ।
ଚାଲ ଚାଲ
ସେ ନିଆଁ ଧୂଆଁର ଖେଳ ଛାଡ଼ି ଚାଲ
ଅଦୁରରେ ଶୁଭୁଛି ଶୁଣ ପ୍ରେମର ଏକ କ୍ଷୀଣ ଅନ୍ତଃସ୍ୱର
ଯେଉଁଠି ମିଶିଯାଇଛି କୁହୁଡ଼ି ସହ ବରଷାର ବୁନ୍ଦା
ଭିଜିବା ସେ ମେଘରେ ହଜିବା ସେ ଘନ କୁହୁଡ଼ିରେ
ସେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ନ ଲିଭିଛି ମୋ ଭିତରର ଧୂଆଁ
ଯେ ପର୍ଯ୍ୟନ୍ତ ହିମାସକ୍ତ ନ ହୋଇଛି ତୁମ ଅନ୍ତରରୁ ଅନ୍ତର ପର୍ଯ୍ୟନ୍ତ।