Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramachandra Bhutia

Abstract Romance

3  

Ramachandra Bhutia

Abstract Romance

ନବଦୁର୍ଗା ସ୍ତୁତି

ନବଦୁର୍ଗା ସ୍ତୁତି

2 mins
181


ଆଶିଣ ମାସର     ହିମ କାକର ରେ

     ଆସିଅଛ ମାତା ଦୁର୍ଗା

ଶକ୍ତିମୟୀ ତୁମ୍ଭେ      ନବଦୁର୍ଗା ରୂପେ

     ଜଗତେ ପାଉଛ ପୂଜା


ଶକ୍ତି ଉପାସକ      ସାଧକ ସାଧଇ

     ଯତନରେ ନବରାତ୍ର

ଚଞ୍ଚଳ ମନକୁ      କରି ଅଚଞ୍ଚଳ

     କାୟା କରିଣ ପବିତ୍ର


ପ୍ରଥମରେ ତୁମ୍ଭ      ଶୈଳପୁତ୍ରୀ ରୂପ

     ହିମାଳୟ ରାଜସୂତା

ବୃଷାରୂଢ଼ା ମାତା      ଶୂଳ ପଦ୍ମହସ୍ତା

     ଭାଲଚନ୍ଦ୍ର ସୁଶୋଭିତା


ଶତ ସୂର୍ଯ୍ୟ ନିନ୍ଦି      ତୁମ୍ଭର ପ୍ରକାଶ

     ମୂଳାଧାରେ ଥୋଇ ମନ

ପ୍ରଥମ ଦିନରେ      ସାଧକ ପୂଜଇ

     ସମର୍ପି ନିଜର ପ୍ରାଣ


ଦ୍ଵିତୀୟ ଦିନରେ      ଶ୍ରୀ ବ୍ରହ୍ମଚାରିଣୀ

     ତପଶ୍ଚାରିଣୀ ଜନନୀ

କରି ଘୋର ତପ      ଶିବଙ୍କୁ ଲଭିଲ

     ମହାଦେବ ଅର୍ଦ୍ଧାଙ୍ଗିନୀ


ଅପର୍ଣ୍ଣା ମା ଉମା      ନାମ ହେଲା ଖ୍ୟାତ

     କୋଟି ସୂର୍ଯ୍ୟ ସମ ଜ୍ୟୋତି

ହେ କଲ୍ୟାଣମୟୀ      ଭକତ ପୂଜଇ

     ସ୍ଵଧିଷ୍ଠାନେ ଦେଇ ମତି


କରେ ଧରିଥାଅ      ଜପାମାଳା ଗୋଟି

     ଅନ୍ୟ ହସ୍ତେ କମଣ୍ଡଳୁ

ତୁମ୍ଭ ଆଶିଷରେ      ପଙ୍ଗୁ ଲଙ୍ଘେ ଗିରି

     ନିର୍ଭୟ ହୁଏ ଭୟାଳୁ


ଚନ୍ଦ୍ରଘଣ୍ଟା ରୂପ      ତୃତୀୟ ଦିବସେ

     ଲାଲଟେ ଶଶାଙ୍କ ଶୋହେ

ପ୍ରସନ୍ନ ବଦନା      ମା ସିଂହବାହିନୀ

     ରୂପ ତ୍ରିଭୁବନ ମୋହେ


ଅଷ୍ଟଭୁଜା ତୁମ୍ଭେ      ଧାରଣ କରିଛ

     ଖଡ୍ଗ ପଦ୍ମ ଧନୁ ଶୂଳ

କମଣ୍ଡଳୁ ବାଣ      ଗଦାଧାରିଣୀ ମା

     କଣ୍ଠେ ଶୁଭ୍ର ପୁଷ୍ପମାଳ


ସୃଷ୍ଟି ରଚୟିତା      ହେ କୁଷ୍ମାଣ୍ଡା ମାତା

     ଚତୁର୍ଥରେ ତୁମ୍ଭ ରୂପ

ବ୍ୟାଘ୍ରାସନା ଦେବୀ      ଅଷ୍ଟଭୁଜା ତୁମ୍ଭେ

     ସ୍ମରଣେ ଖଣ୍ଡଇ ପାପ


ଅମୃତ କଳସୀ      ହସ୍ତରେ ଧରିଛ

     ଧନୁ ଚକ୍ର ପଦ୍ମ ଗଦା

ଚାପ କମଣ୍ଡଳୁ      ଅକ୍ଷମାଳା ଧାରୀ

     ସ୍ମିତହାସ୍ୟ ମୁଖେ ସଦା


ପଞ୍ଚମ ରେ ତୁମ୍ଭ      ସ୍କନ୍ଦମାତା ରୂପ

     କୋଳେ ଧରି କାର୍ତ୍ତିକେୟ

ପଞ୍ଚାସ୍ୟ ଆରୁଢା      କମଳ ଧାରିଣୀ

     ସନ୍ତାନେ ଦିଅ ଅଭୟ


ହେ ଜଗଜ୍ଜନନୀ      ମାତୃ ରୂପ ତୁମ୍ଭ

     ଦିଶେ କେଡେ ମନୋହର

ଶାନ୍ତ ଶୁଭ୍ର ଜ୍ୟୋତି      ତୁମ୍ଭ ଅଙ୍ଗ କାନ୍ତି

     ଦର୍ଶନେ ପାତକ ଦୂର


ମହିଷାମର୍ଦ୍ଦିନୀ      କାତ୍ୟାୟନୀ ରୂପ 

     ଷଷ୍ଠ ଦିବସରେ ହୁଅ

ଚତୁର୍ଭୁଜା ତୁମ୍ଭେ      ହେ ସିଂହବାହିନୀ

     ସନ୍ତାନେ ଅଭୟ ଦିଅ


ଅଭୟ ବରଦ      ମୁଦ୍ରା ସୁଶୋଭିତା

     ଖଡ୍ଗହସ୍ତ ପଦ୍ମକର

ସର୍ବ ଦେବାଦେବୀ      ତେଜ ଘେନି ମାତା

     ଅଗ୍ନିରୁ ଜନମ ହେଲ


ସପ୍ତମ ଦିବସେ      ଜଗତ ଜନନୀ

     ରୂପ ତୁମ୍ଭ କାଳରାତ୍ରୀ

ବିଦ୍ୟୁତ୍ ସମ ପ୍ରଭା      ତ୍ରିଲୋଚନୀ ମାତା

     ଦୁଷ୍ଟ ମନେ ଦିଅ ଭୀତି


ଖରାସନା ଦେବୀ      ମଧୁକୈଟଭ ଦଳିନୀ

     ଶୁମ୍ଭନିଶୁମ୍ଭ ନିର୍ଘାତି

ଅଭୟ ବରଦା      ଲୌହଖଡ୍ଗ ଧାରୀ

     ଘନ କୃଷ୍ଣ ଅଙ୍ଗ କାନ୍ତି


ମହାଷ୍ଟମୀ ଦିନ      ମହାଗୌରୀ ରୂପ

     କୁନ୍ଦ ପୁଷ୍ପ ପ୍ରାୟ ଶୋଭା

ଶ୍ଵେତପୁଷ୍ପ ମାଳା      ବିଧୁ ସୁଶୋଭିତା

     ଅନ୍ନପୂର୍ଣ୍ଣା ଆଦିମାତା


ଡମ୍ବରୁର ନାଦ      ବୃଷଭ ଅରୁଢା

     ହସ୍ତେ ତ୍ରିଶୂଳ ଶୋଭିତ

କରି ଘୋର ତପ      କୃଷ୍ଣ ହେଲା ଅଙ୍ଗ

     ଗୌର କଲେ ଭୋଳାନାଥ


ଅନ୍ତିମ ଦିବସେ      ମାତା ସିଦ୍ଧିଦାତ୍ରୀ

      ରିଦ୍ଧି ସିଦ୍ଧି ନିଧି ଦାତ୍ରୀ

ସର୍ବ ମନୋରଥ      ପୂର୍ଣ୍ଣ କର ମାତ

      ନମଃ ନମଃ ସିଦ୍ଧେଶ୍ୱରୀ


ଆଦି ପରାଶକ୍ତି      ନିର୍ଗୁଣ ସ୍ୱରୂପା

      ଈଶ୍ୱରଙ୍କ ବାମ ଭାଗୁ

ଆବିର୍ଭୁତା ହେଲ      ସୃଷ୍ଟି ର ପ୍ରାରମ୍ଭେ

      ଅର୍ଦ୍ଧାନାରୀଶ୍ୱର ଅଙ୍ଗୁ


ଚତୁର୍ଭୁଜା ତୁମ୍ଭେ      ଶଙ୍ଖ ଚକ୍ର ଗଦା

      ପଦ୍ମ ହସ୍ତେ ସୁଶୋଭିତା

ଅଷ୍ଟସିଦ୍ଧି ଦାତ୍ରୀ      ମା ସିଂହବାହିନୀ

      ସରସିଜେ ବିରାଜିତା


ନବଦିନେ ନବ      ରୂପରେ ପୂଜିତା

      ନବଶକ୍ତି ଆଦିମାତା

ତୁମ୍ଭର ମହିମା      ଦେବେ ଅଗୋଚର

      ଧ୍ୟାୟନ୍ତି ସର୍ବ ଦେବତା


ଇନ୍ଦ୍ର ବେଦପତି      ଆବର ଦେବତା

      ତୁମ୍ଭ ମାୟା ନ ଜାଣନ୍ତି

ଅଳପ ବୁଦ୍ଧିରେ      କିପରି ବର୍ଣ୍ଣିବ

      ଅଜ୍ଞାନ ମୂଢ ଦୁର୍ମତି


କ୍ଷମାମୟୀ ତୁମ୍ଭେ      ସଦ୍ୟଫଳ ଦାତ୍ରୀ

      ସର୍ବ ଦୋଷ ମୋର କ୍ଷମ

ବାଳୁତ ସ୍ୱଭାବେ      କରେ ଆଚରଣ

      ମାତା ଦିଅ ହେ ଶରଣ


ହେ ବିଶ୍ଵଜନନୀ      ହେ ଜଗଜ୍ଜନନୀ

      ଶିବା ଅମ୍ବା ଜଗଦ୍ଧାତ୍ରୀ

ଅଳପ ଜ୍ଞାନରେ      କରିଛି ବଖାଣ

      ତୁମ୍ଭ ରୂପ ନବରାତ୍ରୀ


ଦୋଷ ଥିଲେ ମାତ      ନ କରିବ ରୋଷ

      ବାଳକ ଭାବି କ୍ଷମିବ

ତୁମ୍ଭେ ନ ରଖିଲେ      ଆହେ ମହାମାୟୀ

      ଅଧମ ନାବ ବୁଡିବ


ଶ୍ରୀପୟରେ ପଡି      କରୁଛି ମାଗୁଣି

      ଦଣ୍ଡବତ ଶତଶତ

ଦୀନ ହୀନ ମୁହିଁ      ଅଧମ ଅରକ୍ଷ

      ରକ୍ଷା କର ଆଦିମାତ ।


Rate this content
Log in

Similar oriya poem from Abstract