ନବ ଚେତନା
ନବ ଚେତନା
ଭରିଦିଅ ହରି ସବୁରି ପରାଣେ
ମାୟା ମମତାର ଅମୀୟ ମୋହ।
ହରି ନିଅ ହରି ସନ୍ତାପ ସବୁରି
ନାଶ ହେଉ ତ୍ରାସ ବିଦ୍ୱେଷ ଦ୍ରୋହ।
ନବ ଚେତନାର ହେଉ ଉଦୟ ।।
ମାନବ ନ ସାଜୁ ଦାନବ ସମାନ
ନରହୁ ଯାତନା କ୍ଲେଶ ଅପମାନ।
ଅପବାଦ ନିନ୍ଦା ନିର୍ଯାତନା ଭାବ
ମାନସେ ନ ଆସୁ ଦିଅ ଅଭୟ।
ନବ ଚେତନାର ହେଉ ଉଦୟ।।
ଦୟା କ୍ଷମା ସ୍ନେହ ସୋହାଗ ଆଦର
ଶ୍ରଦ୍ଧା ଭକ୍ତି ପ୍ରେମ ପୁଲକ ଅପାର।
ଆଲୋକିତ କରୁ ତିମିର ବିନାଶି
ନୂଆ କିରଣର ହେଉ ଉଦୟ ।
ନବ ଚେତନାର ହେଉ ଉଦୟ।।
ମହାମାରୀ କୋପ ପୁନଃ ପ୍ରଜ୍ବଳିତ
ପ୍ରକୋପ ପ୍ରବଳ କରେ ଆତଙ୍କିତ।
ଆତ୍ମ ସଂଯମର ବୀଜ ମନ୍ତ୍ର ହେଉ
ନିବାରଣର ଅଵ୍ୟର୍ଥ ଉପାୟ ।
ନବ ଚେତନାର ହେଉ ଉଦୟ।।
ହୀନ ଭାବନାରେ ଗ୍ରସିତ ଯେତେକ
ଛଳ ବଳେ ବଳୀ ଖେଳାନ୍ତି ଆତଙ୍କ
ଯୁଗେ ଯୁଗେ ଧର୍ମ ଧରିଛି ଧରିତ୍ରୀ
ଧର୍ମେ ଜୟ ଅଧର୍ମେ ପରାଜୟ ।
ନବ ଚେତନାର ହେଉ ଉଦୟ।।
ଶାନ୍ତି ମୈତ୍ରୀ ପ୍ରଗତିର ତିନି ମନ୍ତ୍ର
ଏକ ସଙ୍ଗେ ଆନ ଅବଶ୍ୟ ଜଡ଼ିତ
ଅନ୍ତରେ ଅନ୍ତରେ ସଞ୍ଚରୁ ଏ ଭାବ
ନବ ଚେତନାର ହେଉ ଉଦୟ।।
