ନାରୀ
ନାରୀ
ନାରୀ ତୁମେ ଖାଲି ମାଆଟିଏ ନୁହଁ ସବୁ ଲୁହ ନିଜ ଓଠରେ ପିଇ,
ନୀଳକଣ୍ଠପରି ବିଷପାନ କରି ଆନମୁଖେ ଯିବ ହସକୁ ଦେଇ |
ନାରୀ ତୁମେ ଖାଲିସ୍ତ୍ରୀଟିଏ ନୁହଁ ସ୍ୱାମୀ ପାଇଁ ଉପଭୋଗ୍ୟର ବସ୍ତୁ,
ସବୁକଥାଶୁଣି ନୀରବ ରହିବ ସବୁବେଳେ କହୁଥିବ ତଥାସ୍ତୁ |
ନାରୀ ତୁମେ ଖାଲି ବଧୂଟିଏ ନୁହଁ ରହିଥିବ ଅବଗୁଣ୍ଠନ ତଳେ,
ସବୁକଥା ଶୁଣି ହଁ ମାରୁଥିବ ଇଚ୍ଛା ପଛେ ତୁମ ନ ଥାଉ ତିଳେ |
ନାରୀ ତୁମେ ଖାଲି ପ୍ରେମିକାଟେ ନୁହଁ ଗୋଲାପକଳିକୁ ହାତରେଧରି,
ଆଇ ଲଭ ଇଉ ଶୁଣିବା ପାଇଁକି ସବୁବେଳେ ଥିବ କାନକୁ ଡେରି
ନାରୀ ତୁମେ ଖାଲି ଝିଅଟିଏ ନୁହଁ ହସମଉଜରେ କାଟିବ ଦିନ,
କୁଆଁରପୁନେଇ,ରଜ ପାଳୁଥିବ ଆକାଶରେ ଦେଖି ରୂପେଲି ଜହ୍ନ
ନାରୀ ଖାଲି ନୁହେଁ ମାଆ,ସ୍ତ୍ରୀ,ବଧୂ,ପ୍ରେମିକା କିଅବା ଗେହ୍ଲେଇ ଝିଅ,
ସାରା ସଂସାରର ବୋଝ ତା ଉପରେ ଭଲଭାବେ ଟିକେ ନଜରଦିଅ |
ସବୁଭୂମିକାକୁ ନିଖୁଣ ଭାବରେ ନିଭେଇ ପାରିଲେ ଜୀବନ ତାର,
ସାର୍ଥକ ହୁଏ ଏଇ ଦୁନିଆରେ ବାହା ବାହା କରେ ସାରା ସଂସାର
ଗାନ୍ଧାରୀ ପରି ଅନ୍ଧ ପୁଟୁଳି ବାନ୍ଧି ବସିଲେ ଆଖିରେ ତୁମେ,
ଦୁର୍ଯୋଧନର ଉତ୍ପୀଡନରେ ଅତିଷ୍ଠ ହୋଇବେ ଲୋକେ ଏ ଭୂମେ |
ଦ୍ରୌପଦୀପରି ନିର୍ଯାତନାରଶିକାର ହୋଇବ ନାରୀ ସମାଜ,
ଏସବୁ କଥାକୁ ଚିନ୍ତାକରି ତୁମେ ନିଜର କର୍ତ୍ତବ୍ୟ ନିଜେ ହିଁ ହେଜ
ସ୍ରଷ୍ଟାଙ୍କ ଶ୍ରେଷ୍ଠସୃଷ୍ଟି ମଧ୍ୟରେ ନାରୀସମ ଆଉ କେହିତ ନାହିଁ,
ସୁନ୍ଦର ଘରଟେ ସୁସ୍ଥ ସମାଜ ଗଢାହୁଏ ଖାସ୍ ତାହାରି ପାଇଁ |
ତୁମେଖାଲି ନିଜ ସ୍ୱାର୍ଥ ଦେଖିଲେ ସମାଜ ହୋଇବ ଧ୍ୱସଂପରା,
ପତନନ୍ମୁଖୀ ଏ ସମାଜ ପାଇଁକି ତୁମ ତ୍ୟାଗ ପରା ଏକା ସାହାରା
ସମସ୍ତଙ୍କୁ ବାନ୍ଧି ମମତା ରଜ୍ଜୁରେ ଚାଲିବ ଜଟିଳ ପଥକୁ କାଟି,
ତୁମେ ମହିୟସୀ,ତୁମେ ଗରିୟସୀ ନାରୀ ନୁହଁ ତୁମେ ନାରାୟଣୀଟି |
