ନାରୀ ସଶକ୍ତିକରଣ
ନାରୀ ସଶକ୍ତିକରଣ


ସଶକ୍ତିକରଣ କଥା କି କହିବି ମୁଁ ଯେ
ଲାଜ ଲାଗେ କହିବାକୁ ।
ନାରୀ ଯେ ଅବଳା ନାରୀ ଯେ ଦୂର୍ବଳା
ପୁରାଣୁ ମିଳେ ଦେଖିବାକୁ ।।
ଦ୍ରୌପଦୀଙ୍କର ବସ୍ତ୍ର ହରଣ ହେଉକି
ପୁଣି ରାମାୟଣ କଥା ।
ସୀତା ଚୋରି ହେଉ ଅବା ପୁଣି
ଅଗ୍ନୀ ପରୀକ୍ଷାର ବ୍ୟଥା ।।
ବାଲ୍ୟ ବିବାହର କଥା ହେଉ ପୁଣି
ହେଉ ସତୀ ଦାହ ପ୍ରଥା ।
ଯୌତୁକ ନିର୍ଯାତନା କଥା ହେଉ ଅବା
ସେ ନାରୀ ଶିକ୍ଷାର କଥା ।।
ଝିଅ ବୋଲି କେବେ ଗର୍ଭୁ ନଷ୍ଟ ହୁଏ
ଦୁନିଆ ଦେଖିବା ଆଗରୁ ।
ବଳାତ୍କାର ହୋଇ କେବେ ପୁଣି ମରେ
ସଂସାର ଗଢ଼ିବା ପୂର୍ବରୁ ।।
ମୁଁ ମାନୁଛି ନାରୀ ଲୁଚୁ ନାହିଁ ଆଜି
ଆଉ ଓଢଣା ଫାଙ୍କରେ ।
କାନ୍ଧରେ କାନ୍ଧ ମିଳାଇ ଚାଲୁଛି
ଆଜିସେ ପୁରୁଷ ସାଥିରେ ।।
କେବେ ସେ ଆକାଶେ ଉଡୁଛି ପୁଣି
କେବେ ବୁଡେ ସାଗରରେ ।
ହେଲେ ନିର୍ଭୟେ କଣ ଏକା ସୁରକ୍ଷିତ ସେ
ନିର୍ଜନ ଅନ୍ଧାର ରାତିରେ ।।
ମୁଁ ଜାଣେ ନାରୀ ଆଉ ଅଶିକ୍ଷିତ ନାହିଁ
ସେ ବି ଶିକ୍ଷିତ ହେଲାଣି ।
ହେଲେ କଣ ନିର୍ଭୟେ କେବେ ସେ
କର୍ମ କ୍ଷେତ୍ରକୁ ଗଲାଣି ।।
ଯେବେ ନ ମରିବ ନାରୀ ଯୌତୁକ ପାଇଁ
ପୁଣି ବଳାତ୍କାର ହୋଇ ।
ନାରୀ ସଶକ୍ତିକରଣ ହୋଇଛି ଭାରତେ
ସେବେ ତ ଜାଣିବି ମୁହିଁ ।।
ମୁଁ ଜାଣେ ନାରୀ ସେନାରେ ଲଢ଼ୁଛି
ଦେଶର ସୁରକ୍ଷା ପାଇଁ ।
ଯେବେ ସେ ଲଢିବ ନିଜ ଅଧିକାର ପାଇଁ
ଶକ୍ତିଶାଳୀ ହେବ ଯାଇ ।।