ନାରୀ ଶିକ୍ଷା
ନାରୀ ଶିକ୍ଷା


ସମାଜରେ ନାରୀ ଅଟେ ମହନୀୟା
ଜନନୀ ଭଗିନୀ ଜାୟା
ଅଟେ ସେ ଦୁହିତା ଦୁଇକୁଳ ହିତା
ବିଶାଳ ଯାହାର ହିଆ||
ପରିବାରେ ସୁଖ ଶାନ୍ତି ଫଲ୍ଗୁଧାରା
ଅବିରତ ବହୁଥାଏ
ଯେଉଁ ଘରେ ନାରୀ ସର୍ବ ଗୁଣବତୀ
ସୁଶିକ୍ଷିତା ହୋଇଥାଏ||
ସୁଶିକ୍ଷିତା ନାରୀ ନିଜ ଜ୍ଞାନ ବଳେ
ଘରକୁ ବୈକୁଣ୍ଠ କରେ
ସଂସାରର ସର୍ବ ସୁଖ ଶାନ୍ତି ଯେହ୍ନେ
ନାରୀର ହାତମୁଠାରେ||
ପରିବାରେ ଶିଶୁ ପ୍ରାରମ୍ଭିକ ଶିକ୍ଷା
ମାତାଠାରୁ ଲାଭକରେ
ତାହାର ତ୍ୟାଗର କାହାଣୀ ଲେଖିଲେ
ସବୁ ଖାତାତକ ସରେ||
ତେଣୁ ନାରୀ ଆଜି ଶିକ୍ଷିତା ହୋଇବା
ଅଟେ ଅତି ଦରକାର
ସମାଜର ପ୍ରତି ବିଭାଗରେ ଲୋଡା
ଅଛି ଉପସ୍ଥାନ ତା'ର ||
ପୁରୁଷର ପରି ନାରୀର ରହିଛି
ସମାନତା ଅଧିକାର
ସକଳ କ୍ଷେତ୍ରରେ ସମାନ ସୁବିଧା
ସୁଯୋଗ ତା' ଅଧିକାର||
ନାରୀ ପ୍ରତି ହିଂସା ନାରୀ ନିର୍ଯ୍ୟାତନା
ଶୋଷଣ କଷଣ ବଢେ
ସେ ସବୁରୁ ନାରୀ ଉଦ୍ଧାର ପାଇବ
ନାରୀ ଯଦି ପାଠ ପଢେ ||
ପୁରୁଷର ଠାରୁ କୌଣସି ଗୁଣରେ
କମ୍ ନୁହେଁ କେବେ ନାରୀ
ସକଳ କ୍ଷେତ୍ରରେ ଉତ୍କର୍ଷ ହୋଇବ
ଶିକ୍ଷା ଦୀକ୍ଷା ପାଇ ନାରୀ||
ଶିକ୍ଷିତା ହୋଇଲେ ଶଶକ୍ତ ହୋଇବ
&nbs
p; ଦଳିବ ତା'ର ବଇରୀ
ନିଜ ଅଧିକାର ସାବ୍ୟସ୍ତ କରିବ
ପ୍ରତିବାଦ ସ୍ବର ଧରି ||
ଶିକ୍ଷିତ ନାରୀଟେ ଆଲୋକ ବର୍ତ୍ତିକା
ସମାଜକୁ ବାଟ ଦେଖାଏ
ଉତ୍ତମ ସମାଜ ଗଠନ କରିସେ
ଭୂସ୍ବର୍ଗଟେ ଗଢିଦିଏ||
ଆଜିର ସମାଜେ ନାରୀ ଶିକ୍ଷାପାଇଁ
ହୋଇଛି ଯୋଜନାମାନ
ଶୁଦ୍ଧପୂତ ହୋଇ ଅନ୍ତଃକରଣରେ
କର ତା'ର ରୂପାୟନ ||
'ବେଟିକୋ ପଢାଓ ବେଟିକୋ ବଢାଓ'
ଦିଅ ହେ ଏହି ସ୍ଳୋଗାନ
ନାରୀ ଶିକ୍ଷା ପ୍ରତି ହୁଅ ଯତ୍ନବାନ
ଦିଅ ତାକୁ ପ୍ରୋତ୍ସାହନ||
ପାଠ ପଢି ଚଢୁ ହୀମ ଶୀଖରକୁ
ଲଙ୍ଘିଯାଉ ସେ ବ୍ରହ୍ମାଣ୍ଡ
ସୃଷ୍ଟିର ରହସ୍ୟ ଉନ୍ମୋଚନ କରି
କରୁ ସବୁ କର୍ମକାଣ୍ଡ||
ଆକାଶରେ ଉଡି ତାରା ଗଣିଦେଉ
ଅତଳ ସାଗରେ ବୁଡୁ
ଶାମୁକା ସାଉଁଟି ମୋତି ଖୋଜିଆଣୁ
ମାଟି ତଳୁ ହୀରା କାଢୁ||
ବିଦୂଷୀ ରମଣୀ ହେଉ ବୀରାଙ୍ଗନା
ଲକ୍ଷ୍ମୀବାଈ ଦୁର୍ଗାବତୀ,
ଘର ବାହରର ନିରାପତ୍ତା ରଖି
ହେଉ ସେ ସୌଭାଗ୍ୟବତୀ||
ଲିଙ୍ଗ ବୈଷମ୍ୟତା ଦୂର ହୋଇଯିବ
ବିକଶିଲେ ନାରୀଶିକ୍ଷା
ନାରୀ ବି ପଢିବ ନାରୀ ବି ବଢିବ
ସମାଜ ପାଇବ ରକ୍ଷା||
ଶିକ୍ଷିତ ନାରୀହିଁ ଆଦର୍ଶ ସ୍ଥାନୀୟା
ସୁସମାଜ ପ୍ରତିଷ୍ଠାତ୍ରୀ
ତେଣୁ ନାରୀ ଶିକ୍ଷା ପ୍ରସାର କରିବା
ଅଟେ ଅତ୍ୟନ୍ତ ଜରୁରୀ||