ନାରୀ-ଅବଳା ନୁହେଁ ସେ ସବଳା
ନାରୀ-ଅବଳା ନୁହେଁ ସେ ସବଳା
ଯୁଗେ ଯୁଗେ ନାରୀ କିମ୍ପାଇଁ ଏଠି ହୁଏ ଅବଳା,
ଗୃହେ ପରିବାରେ ଯା'ପାଇଁ ସଦା ଥାଏ ଶୃଙ୍ଖଳା;
ସୁଖୀ ସଂସାରେ ଯା'ଭୂମିକା ଅଟେ ଅତି ବିଶାଳ,
ତଥାପି ପୁରୁଷ ବୁଝେନି ତାର ମହତ ମୂଲ!
କେବେ ସେ ଜନନୀ,
ଭଗିନୀ କେବେ ପୁଣି ସେ ଜାୟା,
କେବେ ବିଶାଳ ତରୁ ହୋଇ ଦିଏ ଶୀତଳ ଛାୟା;
ଯାହାର ମମତା ବନ୍ଧନେ ବନ୍ଧା ସାରା ସଂସାର,
ନୋହିଲେ କ୍ଷଣକେ ସଂସାର ହୁଅନ୍ତା ନାରଖାର।
ବସନ୍ତ ମଳୟ ସମୀର ପରି ଯା'ର ପରଶ,
ସେ ପରଶ ଦେହେ ବାଜିଲେ ଦୁଃଖ ହୁଅଇ ନାଶ;
ଏମନ୍ତ ସୁଗୁଣେ ଗଢ଼ା ଯା' ଚିତ୍ତ ସାଥେ ବଦନ,
ତଥାପି କିମ୍ପାଇଁ ମାନବ ତାରେ ମଣଇ ହୀନ!
ଦୟାମୟୀ ଦୟା ସାଗରେ ଯାର ହୃଦୟ ଗଢ଼ା,
ସକଳ କରମେ ନିଇତି ସେତ ହୁଅଇ ଲୋଡ଼ା;
ତା'ବିନୁ ଅଚଳ ଅଟଇ ସଂସାର ନନ୍ଦିଘୋଷ,
ଯା'ପାଇଁ ଚାଲଇ ସେ ରଥ ବରଷ ବାରମାସ।
ସଂସାର ମଙ୍ଗଳ କାମନା ଲୟେ ତା ଶୀର ଟେକି,
କେତେ ଯେ ବେଦନା ଯାତନା ପାଇ ପଡିନି ଥକି;
ଆଗେ ଆଗେ ପଥେ ଚାଲଇ ପଛେ ନଚାହିଁ ତିଳେ,
ଯେତେ କ୍ଳେଶ ବିଘିନ ଆସେ ସହେ ଏମାଟି କୋଳେ।
ବିନା ଦୋଷେ ଏଠି ସମାଜ ଦୋଷ ଲଦେ ତା'ଶୀରେ,
ଏ କି ମାନସିକତା ବିଶ୍ୱେ କହ ବିଜ୍ଞାନୀ ନରେ;
ସଂସାରେ ହେଉ କି ସମାଜେ ଦୋଷ କରୁଚି ଜଣେ,
ତା' ଚରିତ୍ରେ ଦାଗ ଲାଗଇ ଏଠି ବିନା କାରଣେ!
ଏତେ ସରି ହୋଇ ତଥାପି ଭାଙ୍ଗି ନାହିଁ ସଂସାରେ,
ଚଳାଏ ସଂସାର ଆନନ୍ଦେ କୋହ ଚାପି ଅନ୍ତରେ;
କେଡେ ମହିୟସୀ ମହିଳା ଅଟୁ ତୁହି ମା' ନାରୀ,
ଏ ଭୁବନେ କାହୁଁ କେ' ଅଛି ଜଣେ ସତେ ତୋ ପରି!