ନାଲି ରଙ୍ଗ
ନାଲି ରଙ୍ଗ
ରଙ୍ଗଙ୍କ ଭିତରେ ନାଲିଟି ସାର
ପ୍ରତିବଦ୍ଧତାକୁ କରେ ପ୍ରଚାର ।
ପ୍ରେମର ଭାବନା ଏହା ଭିତରେ
ପ୍ରେମିକାର ପାଇଁ ଏ ଉପହାର।
ନାଲିଆ ଗୋଲାପ କେତେ ସୁନ୍ଦର
ନାଲି ମନ୍ଦାରଟି ବି ମନୋହର ।
ନାଲି ଟୁକୁ ଟୁକୁ ସାଧବ ବୋହୁ
ନାଲି ମୁରୁଜଟି ବଡ ସୁନ୍ଦର।
ରକତ ଆମର ନାଲିଆ ବହେ
ଗୋଟିଏ ରଙ୍ଗ ତା ସଭିଙ୍କ ଦେହେ ।
ନାଲି ପତାକା ବିପଦ ସୂଚାଏ
ଟ୍ରେନ ଆସୁଥିଲେ ଅଟକି ଯାଏ।
ନାଲି ଓଠ ଦିଶେ ସୁନ୍ଦର ଭାରି
କାଳିଆ ହସ ତ ପ୍ରିୟ ସବୁରି ।
ନାଲି ପାଟ ପିନ୍ଧି ସୁନ୍ଦର ବୋହୁ
ନାଲି ଓଢଣୀଟେ ମଥାରେ ଥାଉ।
ସଧବା ନାରୀର ନାଲି ସିନ୍ଦୁର
ମଥାପରେ ଦିଶେ କେତେ ସୁନ୍ଦର ।
ପ୍ରତୀକ ସିଏ ଜୀବନ୍ତ ସ୍ବାମୀର
ବିଧବାକୁ ମନା ସିନ୍ଦୁର ଗାର।
ଦେବାଦେବୀଙ୍କର ପ୍ରିୟ ଏ ରଙ୍ଗ
ନାଲି ଶାଢୀ ଆଉ ସିନ୍ଦୁର ସଙ୍ଗ ।
ହନୁମାନ ବୋଳି ହୋଇ ସିନ୍ଦୁର
ରାମଙ୍କର ପ୍ରିୟ ସେ ମହାବୀର।
କେତେ ଫଳ ପାଚି ଦିଶଇ ନାଲି
ନାଲି ହେଲେ ଜାଣୁ ପାଚିଲା ବୋଲି ।
ଉଦୟ ସୂର୍ଯ୍ୟାସ୍ତ ଭାନୁଙ୍କ ରଙ୍ଗ
ନାଲି ଜରଜର କି ମନୋହର।
ପାଚିଲା ଫଳଟେ ଭାବିଲା ହନୁ
କରିଥିଲେ ଗ୍ରାସ ଦେଖି ସୁନ୍ଦର।
