ନାଆଁଟା ତାର ଖୁସି
ନାଆଁଟା ତାର ଖୁସି
ନାଆଁଟା ତାର ଖୁସି
ଆସେ ଯାଏ ରହେନା ବସି
ଦୌଡ଼ି ଦୌଡ଼ି ଆସି
ପଳେଇ ଯାଏ ମୁରୁକି ହସି,
ନାଆଁଟା ତାର ଖୁସି
ସପନର ମାନସୀ
ସେ ସୁନ୍ଦରୀ ରୂପସୀ
ସରଗର ଶଶି
ଊଣା ହେଲେ ତା ଯାଏ ରୁଷି।
ନାଆଁଟା ତାର ଖୁସି
ମନ ବଗିଚାରେ ପଶି
ଆଶାର କଳିକାକୁ ଦିଏ ଆଉଁସି
ଉଠିଲେ ସେ ବିକଶି
ମହକ ବାଣ୍ଟେ ଦିବାନିଶି,
ନାଆଁଟା ତାର ଖୁସି
ସେ ବାରମାସୀ
ଚିର ଯୁବା ବୟସୀ
ଦେଖେ ଯିଏ ଯାଏ ଫସି
ଭଲ ପାଇବା ତା' ପଡ଼େ ବରଷି।
ନାଆଁଟା ତାର ଖୁସି
ଆଖି ଢଳ ଢଳ ସୁକେଶୀ
ଅଧର ନାଲି ରୂପ ତାରକସି
ଚାଲିରେ ସେ ରାଜହଂସୀ,
ନାଆଁଟା ତାର ଖୁସି
ଅଲିଅଳି ଚୁଲୁବୁଲି ପ୍ରେୟସୀ
ଫଗୁଣର ଫଗୁ ଦିଏ ଲେସି
ହୃଦୟ ସାଗରର ସୁନା ଇଲିସି
ପହଁରୁ ଥାଏ ଉଠେ ଝଲସି,
ନାଆଁଟା ତାର ଖୁସି
ପାଶେ ଥିଲେ ନିଏ ମନତୋଷି
ଦୂରେ ଥିଲେ କରେ ଉଦାସୀ
ଜୀବନର ଅନ୍ଧାରରେ ପୂର୍ଣ୍ଣମାସୀ
ଆଲୋକ ଦିଏ ପ୍ରକାଶି
ନାଆଁଟା ତାର ଖୁସି ।

