ନ ଖୋଜିଲା ହାତ ଖାଲି
ନ ଖୋଜିଲା ହାତ ଖାଲି
ସେ' ତ ଖୋଜୁଥାଏ ମାଟିର କୋଳଟେ
ହେବାପାଇଁ ଟିକିଚାରା
ବଡ଼ ହୋଇ ଦେବ ସୁଶୀତଳ ଛାଇ
ଆଣିଦେବ ବାରିଧାରା ।
ସେ' ତ ଖୋଜୁଥାଏ ଅନୁକୂଳ ପାଗ
ଧୀର ମଉସୁମୀ ବାଆ
ଧରା ଛାତିପରେ ଝର ଝର ହୋଇ
ବରଷିଯିବାକୁ ଆହା ।
ସେ' ତ ଖୋଜୁଥାଏ ସଜ ସକାଳଟେ
ଫୁଟିବାକୁ ଫୁଲ ହେଇ
ଖୁସି କରିବାକୁ ଚାହେଁ ସେ ସଭିଙ୍କୁ
ମିଠା ବାସ ତା'ର ଦେଇ ।
ସେ' ତ ଖୋଜୁଥାଏ ସୁଗମ ବାଟଟେ
ଆଗକୁ ବଢ଼ିବ ବୋଲି
ଆପଣା ଇଚ୍ଛାରେ ମିଶିବ ସାଗରେ
ମନକଥା ଦେବ ଖୋଲି ।
ସେ' ତ ଖୋଜୁଥାଏ ଗଛର ଡାଳରେ
ନୂଆ ପତରର ଶୋଭା
ସୁଲଳିତ ସୁରେ ଗାଇବାକୁ ଗୀତ
ଯାହା ଭାରି ମନଲୋଭା ।
ସେ' ତ ଖୋଜୁଥାଏ ଆଶରା ଗୋଟିଏ
ଆଣିଦେବ ତାକୁ କିଏ
କବିତା ହେଉ ବା ହେଉ ସେ ବନିତା
ଲତା ହେଉ ଅବା ସିଏ ।
ସେ' ତ ଖୋଜୁଥାଏ ତା' ପସନ୍ଦ କାମ
କରିଯିବ ନିତି ନିତି
ନିଜ ଅଭିଳାଷ କରିବ ପୂରଣ
ଜୀଉଥିବ ଜିତି ଜିତି ।
ଖୋଜାଖୋଜି ହାତ ସରଗକୁ ଛୁଏଁ
ଆଜି ହେଉ ଅବା କାଲି
ଯେ' ଯେମିତି ଖୋଜେ ସେ ସେମିତି ପାଏ
ନ ଖୋଜିଲା ହାତ ଖାଲି ।
