ମୟୂରଭଞ୍ଜର ମକର ପରବ
ମୟୂରଭଞ୍ଜର ମକର ପରବ
ଶୀତ ଋତୁର ପୌଷମାସ ଶେଷରେ ମାଘର ଆରମ୍ଭେ
ଆସେ ଯେଉଁ ସଂକ୍ରାନ୍ତି ସେ ଦିନ ହୁଏ ମକର ପରବ
ସେ ଆମ ଜାତି ସଂସ୍କୃତି ପରମ୍ପରା ଗଉରବ ଗରବ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଳିତ ହୁଅଇ ଧୁମ୍ ଧାମ୍
ଗଣପର୍ବ ଭାବରେ ପୁର ପଲ୍ଲୀରୁ ସହର ବଜାର ଯାକ
ମୟୂରଭଞ୍ଜ ଜିଲ୍ଲାରେ ତାର ସ୍ଵାଦ ଲାଗେ ନିଆରା
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏ ମୁଖ୍ୟ ମହୋତ୍ସବ
ସପ୍ତାହ ବ୍ୟାପୀ ଚାଲେ ହସ ଖୁସି ଆନନ୍ଦ କରି ଅନୁଭବ
ଆବାଳବୃଦ୍ଧବନିତା ଯେତେ ପିନ୍ଧଥାନ୍ତି ନୂଆ ଲୁଗାପଟା
ଘରେ ଘରେ ହୁଏ ପିଠାପଣା ମାଂସ ଭାତ କ୍ଷୀରି ପୁରି
ଆରିସା କାକରା ସାଥେ ମକରମଣ୍ଡା ହୁଏ ସ୍ଵତନ୍ତ୍ର ଭାବେ
ଖିଆପିଆ ସାଥେ ହୁଏ ବନ୍ଧୁମିଳନ ପ୍ରକାଶି ଆତ୍ମୀୟତା
ଗାଆଁ ପାଖ ପୋଖରୀ କି ନଈରେ ହୋଇଥାଏ କୁମା
ସେ ' ମକରକୁମା ' ବା ' ମକରଭାଡ଼ି ' ନାମେ ଖ୍ୟାତ
ସେ ଦିନ ପାହାନ୍ତି ପହରରେ ଜାଳି ଏ ମକର କୁମା
ଗୋଧୋଇ ନିଆଁ ପୁହଁନ୍ତି ଯେତେ ପୁରୁଷ ବାଳରୁ ବୃଦ୍ଧ
ପୌରାଣିକ କିମ୍ବଦନ୍ତୀ କହେ ସେ ଦିନ ବ୍ରହ୍ମ ମୁହୂର୍ତ୍ତରେ
ଗଙ୍ଗାମାତା ପ୍ରତି ଜଳାଶୟେ ହୁଅନ୍ତି ସ୍ଵୟଂ ଆବିର୍ଭାବ
ସ୍ନାନ କଲେ ସେ ସମୟେ ମିଳେ ଗଙ୍ଗାସ୍ନାନର ମହାପୁଣ୍ୟ
ଭରସା ବିଶ୍ଵାସର ଧାର୍ମିକ ଚେତନା ରଖେ ପବିତ୍ରତା
ଦେବାଳୟେ ପୂଜି ଶିବ ଯଜମାନଙ୍କୁ ଗ୍ରାମ ପୁରୋହିତ
ଘର ଘର ଯାଇ ମକର ଚାଉଳ ବାଣ୍ଟନ୍ତି କରି କଲ୍ୟାଣ
ଅବିବାହିତ ଝିଅମାନେ ଦେବୀ ମାଆଙ୍କ ପ୍ରତିମାକୁ
' ଟୁସୁ ' ରୂପରେ ବୁଲାନ୍ତି ଗୀତ ଗାଇ ପଡ଼ୋଶୀ ଘରେ
ଭସାଇ ସେ ଟୁସୁ ନଦୀରେ ଘରକୁ ଫେରନ୍ତି ସ୍ନାନ ସାରି
ଏ ଭାବରେ ' ମକର ପରବ ' ପାଳିତ ହୁଏ ଆଡ଼ମ୍ବରରେ
ସପ୍ତାହ ଯାକ ଉପର ଓଳି ବିଭିନ୍ନ ସ୍ଥାନେ ହୁଏ ମେଳା
ପ୍ରବଳ ଜନସମାଗମ ମଧ୍ୟରେ ଚାଲେ ନାଟ ତାମସା
ପାଇକ ଆଖଡ଼ାର ସେ ପ୍ରତୀରୂପ ଖେଳ କୁଦ ନାଚ଼
ଦୋକାନ ବଜାରର ଗହଳିରେ ହେଉଥାଏ ବିକାକିଣା
ମୟୂରଭଞ୍ଜର ମକର ଦେଖିଛି ଯିଏ ପାରେନା ଭୁଲି
ଏ ମନ ପ୍ରାଣର ଏକ ଦୀର୍ଘ ଅବସର ବିନୋଦନ ସମୟ
ନ ଥାଏ କାହାରି କିଛି ଅଭାବ ଅନାଟନର ଦୁରବସ୍ଥା
ମକର ଆଣିଦିଏ ଜୀବନକୁ ଉପଭୋଗ କରିବା ପାଇଁ
ସର୍ବସାଧାରଣ ଲୋକମାନଙ୍କ ମଧ୍ୟରେ ଅପୂର୍ବ ସୁଯୋଗ
ହେଲେ ବି ମକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପରବ
ବୈଶିଷ୍ଟତା ତାର ସାମ୍ପ୍ରଦାୟିକତାରେ ରଖେ ଭାତୃଭାବ
ସଂପର୍କକୁ ମଧୁର କରି ଯୋଡ଼ିଦିଏ ସଂହତି ଏକତାରେ
ମୟୂରଭଞ୍ଜର ମକର ପରବ ଜନପ୍ରିୟ ଏ ଅଞ୍ଚଳରେ।
