ମୟୂର ଚୂଳିଆ କାହ୍ନା
ମୟୂର ଚୂଳିଆ କାହ୍ନା
ଜହ୍ନ ସିନା ଦିଶେ ସୁନ୍ଦର ସୁନ୍ଦର
ଶୀତଳ ଚାନ୍ଦିନୀ ପାଇଁ
ଉଜ୍ଜଳ ଦିଶଇ କଳାକାହ୍ନୁ ରୂପ
ପାଖେ ଥିଲେ ରାଧା ମାଇଁ I
ଯମୁନା ଲାଗଇ ସୁନ୍ଦର ସୁନ୍ଦର
ସ୍ନାନ କରୁଥିଲେ ଗୋପୀ
ଉଜ୍ଜଳ ଦିଶଇ କହ୍ନେଇର ଆଖି
ଉଣ୍ଡେ ଯେବେ ଛପି ଛପି I
ଭଲ ଲାଗେନାହିଁ ବଇଁଶୀର ସ୍ୱର
ନଡାକିଲେ ରାଧା ରାଧା
ଦୁନିଆ ଜାଣିଛି ଶ୍ରୀରାଧାଙ୍କ ବିନା
କାହ୍ନାର କାହାଣୀ ଅଧା I
ଭଲ ଲାଗେନାହିଁ ମାନ ଅଭିମାନ
ଲଳିତା ବିଶାଖା ବିନା
ଭାରି ଭଲଲାଗେ ରାଧାଙ୍କର ମାନ
ଭଞ୍ଜନ କରିଲେ କାହ୍ନା I
ସୁନ୍ଦର ଦିଶଇ ମୟୁର ଚନ୍ଦ୍ରିକା
ମଣ୍ଡିଲେ କହ୍ନେଇ ମଥା
କାନକୁ ସର୍ବଦା ସୁନ୍ଦର ଶୁଭଇ
ରାଧାକୃଷ୍ଣ ପ୍ରେମ ଗାଥା I
କଳାକାହ୍ନୁଙ୍କର କୃପା ମିଳିଗଲେ
ଦୁଃଖ ଲୁଚାଇବ ମୁହଁ
ଲୀଳାମୟଙ୍କର ଲୀଳା ଅସୁମାର
କେମିତି ବର୍ଣ୍ଣିବି କୁହ I
