STORYMIRROR

Aishwarya Mishra

Abstract Tragedy

4  

Aishwarya Mishra

Abstract Tragedy

ମୁଁ ମରିଗଲା ପରେ

ମୁଁ ମରିଗଲା ପରେ

1 min
196

ମୁଁ ମରିଗଲା ପରେ ,

ଶେଷ ଇଚ୍ଛାରେ ମୋ ଏତିକି କାମ କରିବ

ଶରୀରରୁ ମୋର ଅଙ୍ଗ ସବୁ କାଢି

ଅଙ୍ଗଦାନ ଯେ କରିବ ,


ଶେଷ ଥର ପାଇଁ ଆଣିବ ଘରକୁ

ଦାଣ୍ଡପିଣ୍ଡାରେ ଦେବ ଶୁଆଇ

ଶବକୁ ମୋହର ଫୁଲମାଳରେ ସଜେଇ 

ଛାଡ଼ିଦେବ ସ୍ବର୍ଗଦ୍ଵାରେ,


ନୀରବରେ ନେବ କୋକେଇକୁ ମୋର

କରିବ ନାହିଁ ଗହଳି

ଘରଲୋକଙ୍କୁ ମୋ ବୁଝାଇ କହିବ

କାନ୍ଦିବେନି ଲୁହ ଢାଳି,


ସ୍ବର୍ଗଦୁଆରକୁ ନେବା ବେଳେ ମୋତେ

ଶ୍ରୀମନ୍ଦିର ବାଟେ ନେବ,

କାଳିଆର ସେହି ଭକ୍ତ ତାଲିକାରୁ

ମୋ ନାଆଁ କାଟିଦେବ,


ଜାଣିନି କେତେ ମୁଁ ଧର୍ମ ଅରଜିଛି

ଅବା କରିଅଛି କେତେ ପାପ

କାହା ଓଠେ ହସ, କାହା ହୃଦେ ଲୁହ

ଦେଇଛି କାହାକୁ କିସ !


ମୃତ୍ୟୁଲୋକେ ମୋର ସାରି ଅଭିନୟ

ଯିବି ଫେରି ଯମଲୋକେ

ପଞ୍ଚ-ଭୂତେ ଗଢା ଏ ମର ଶରୀର

ଲୀନ ହେବ ପଞ୍ଚ-ଭୂତେ ,


ବୋଉକୁ କହିବ ଶେଷ ଥର ପାଇଁ 

ଦେବ କୋଳରେ ଶୁଆଇ

ନନାଙ୍କୁ କହିବ ମୁଣ୍ଡକୁ ମୋହର

ଆଦରେ ଦେବେ ସେ ଛୁଇଁ,


କହିବ ସଭିଁଙ୍କୁ ଝୁରିବେନି ମୋତେ

ହୃଦୟରେ ଭରି କୋହ

ମୋ କଥାକୁ ଭାବି ଅନ୍ଧାର ରାତିରେ

ଝରାଇବେ ନାହିଁ ଲୁହ ,


ଯେତେ ଦୁଃଖ କଷ୍ଟ ଦେଇଛି ସଭିଁଙ୍କୁ

ମାଗିନେଉଛି ମୁଁ କ୍ଷମା 

ପାରିବ ଯଦି ମୁଁ ମରିଗଲା ପରେ

କରିଦେବ ମୋତେ କ୍ଷମା ,


ଅମାବାସ୍ୟାର ଅନ୍ଧକାର ଥିଲି

ଯିବି ମୁଁ ଅନ୍ଧାରେ ହଜି

ସୁନାମ-ଦୁର୍ନାମ ଯାହା ବି ମିଳିଛି

ଧରାଧାମେ ଯିବି ତ୍ୟଜି,


ଆସିଥିଲି ଏକା, ଚାଲିଯିବି ଏକା

ଛିଣ୍ଡାଇ ସଂପର୍କ ଡ଼ୋର 

ଜୀବନଟା ପରା ପାଣିର ଫୋଟକା

କେହି ନୁହଁଇ କାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract