ମୁଁ ଜରି ଗୋଟାଳି ଭାଇନା
ମୁଁ ଜରି ଗୋଟାଳି ଭାଇନା


ଏ ମାଟିରେ ଜନ୍ମ, ମାତୃଭୂମି ମୋର ମାଆ
ଜନ୍ମରୁ ମୋର ନଥିଲା ଏପରି ନାଆଁ
ବାପା ନୁହେଁ କି ନୁହେଁ ମାଆ
ଦେଇନଥିଲେ ମୋର ଏ ନାଆଁ
ସମୟର ତାଳେ ତାଳେ
ଚାଲିଛି ମୁଁ ଏକା ଏକା
ବୁଢ଼ୀଆଣି ଜାଲ ପରି
ଚାରିପାଖରେ ଛନ୍ଦି ପଡ଼ି ଥିଲା
ରାସ୍ତାର ସଫେଦ ମୁହଁରେ କୁଢ କୁଢ ଅଳିଆ
ମଣିଷଟି ଫୋପାଡି ଚାଲିଗଲା
ଜୀବନର ପ୍ରତିଟି ଅଦରକାରୀ ଜରି ଗୁଡା
ମୁଁ ତାକୁ ଉଠାଇ ଆଣି ଧରିଲି ହାତରେ
ସେଦିନ ପରଠାରୁ ମୋ ପାଇଁ
ଯୋଡ଼ି ଗଲା ଆଉ ଏକ
ନୁଆ ନାଆଁ ଆଉ ନୂଆ ଠିକଣା
ହେ ଜରିଗୋଟାଳି ଭାଇନା...... ।।
କାହାଣୀ କିଛି କମ ନୁହଁ
ସୂର୍ଯ୍ୟଙ୍କ କାମ ସୂର୍ଯ୍ୟ ହିଁ କରନ୍ତି
ଚନ୍ଦ୍ରର କାମ ଚନ୍ଦ୍ର ହିଁ କରନ୍ତି
ମୁଁ ବି ମୋ କାମ କରିଚାଲେ ନିତିଦିନ
ଭୋକିଲା ପେଟର ଯନ୍ତ୍ରଣାକୁ ବୋହି
ଡଷ୍ଟବିନ, ଅଳିଆଗଦାର ପ୍ରସସ୍ଥ ହୃଦୟକୁ
ଏପଟସେପଟ କରି ବାଛି ଚାଲିଥାଏ
ଛିନ୍ନ ବିଚ୍ଛିନ୍ନ ଜରି ସବୁକୁ .....
ସାଧାରଣ ଜୀବନ ପରି
ଭଲମନ୍ଦ
ବାଛୁ ନଥାଏ....
ଲକ୍ଷ୍ୟ ମୋର ଜୀବନ ଜୀବିକାରେ
ନୁହେଁ କେଉଁ ବିଳାସ ବ୍ୟସନରେ
ପରିବେଶ ସୁରକ୍ଷା ସାଙ୍ଗକୁ
ଜରି ଗୋଟାଇ ଗୁଜୁରାଣ ମେଣ୍ଟାଇନିଏ
ଆଉ ଦାନା ମିଳିଯାଏ
ଭୋକିଲା ପେଟକୁ
ଜୀବନ ନାଟକ ଦୃଶ୍ୟରେ କିଏ
ହସୁଥାଏ ପୁଣି କିଏ କାନ୍ଦୁଥାଏ
ହେଲେ ମୋ ପାଇଁ ସବୁଦିନ
ଗୋଟିଏ ଜୀବନ ନାଟିକା
ହେ ଜରିଗୋଟାଳି ଭାଇନା...।।
ସକାଳୁ ସକାଳୁ ମାଆ ପାଖରେ
ଖାଇବା ପାଇଁ ଅଳି କରିବା
ଅଫିସରେ ବସି ହୁକୁମ କରିବା
ମୋ ଜୀବନରେ ବୋଧହୁଏ ନାହିଁ
ନା ଖରା ନା ବର୍ଷା
ନା ଶୀତ ନା ବସନ୍ତ
ଜରି ଗୋଟାଇବା ମୋର କାମ
ସହର ଏପଟରୁ ସେପଟ ପର୍ଯ୍ୟନ୍ତ
ଜରି ବସ୍ତାରେ ଜରି ଗୋଟାଇ
ଗୁଣ୍ଡେ ଖାଇ ଖଣ୍ଡେ ଲୁଗା ପିନ୍ଧି
ଭୁଲିଯାଏ ସବୁ ଜୀବନର ଦୁଃଖ
ସେଦିନ ପରଠାରୁ ମୋ ପାଇଁ
ଯୋଡ଼ି ଗଲା ଆଉ ଏକ
ନୂଆ ନାଆଁ ଆଉ ନୂଆ ଠିକଣା
ହେ ଜରିଗୋଟାଳି ଭାଇନା...... ।।