ମୁଁ ଝିଅଟେ ବୋଲି
ମୁଁ ଝିଅଟେ ବୋଲି
ନିଜ କୁ ପଚାରେ ନିଜ ପରିଚୟ
ମୁଁ କିଏ ମୋତେ କୁହ
କିଏ କହେ ମୁଁ ଅବଳା ଦୁର୍ବଳା
କିଏ କହେ ଗୋଟେ ଝିଅ |
ମା'ର ଗର୍ଭରେ ଭୃଣଟିଏ ହୋଇ
ଯେବେ ମୁଁ ସଞ୍ଚରୁ ଥିଲି
କେବେ ମୁଁ ଆସିବି ମରତ ମାଟିକୁ
ମନେ ମନେ ଭାବୁଥିଲି |.
ଯେଉଁଦିନ ମୁଁ ଭୂଇଁକୁ ଆବୋଡି
କୁଆଁ କୁଆଁ ଦେଲି ରଡି
ସଭିଏଁ କହିଲେ ଏ ଘରକୁ ଏବେ
ବିପଦ ଆସିଲା ମାଡି |
ମୋ ଜନ୍ମଠିକଣା ଖୋଜିବି କାହିଁକି
ମୁଁ ଯେ ନିର୍ମୁଳି ଲଟା
କେତେବେଳେ କା'ର ଭାଗ୍ୟାକାଶରେ
ନେଇଆସେ ଘନଘଟା |
କନ୍ୟାଶିଶୁଟେ ମୁଁ ମୋ କଅଁଳ ହସରେ
ମୁକ୍ତା ପଡୁଥିଲା ଝରି.
ଝିଅବୋଲି ମୋତେ ନଥିଲା ଆଦର
ମୁଁ ଥିଲି ଅଶୁଭ କାଳି |
ବଡ଼ ହୋଇଗଲି କୁଆଁରୀ ବାଳିକା
କହିଲା ଏହି ଦୁନିଆଁ
କଳଙ୍କିତ କଲା ଏ କ୍ରୁର ସମୟ
ନାଆଁ ରେ ଲାଗିଲା ନିଆଁ |
ଯୁବା ଯଉବନ କାଉଁରୀ ପରଶେ
ହୋଇଲି ମୁଁ ଦିଗହଜା
ନୀରିହା ରମଣୀ ଭାବି ଏ ସମାଜ
ଉଠାଇଲା ତା'ର ମଜା |
ଦୁହିତା ସିନା ମୁଁ ଦୁଇ କୁଳହିତା
ହୋଇ ତ ପାରିଲି ନାହିଁ
ଝିଅ ଜନମଟା ଅତି ଦୁର୍ବିସହ
ଏ କଥା ବୁଝୁଛି ମୁହିଁ |
ବଣ ପୋଡ଼ିଗଲେ ହଜାରେ ଜାଣନ୍ତି
ଏ କଥା କିଏ ନ ଜାଣେ
ମନ ପୋଡିଗଲେ କିଏ ବା ଜାଣିବ
ଜାଣିବାଲୋକ ମୁଁ ଜଣେ |
ବ୍ୟଭିଚାରିଣୀର ଆଖ୍ୟା ମୁଁ ପାଇଲି
ଅଲୋଡ଼ା ଅଖୋଜା ହେଲି
ଅନୁତାପ ନିଆଁ ଏ ଦଗ୍ଧପ୍ରାଣ ରେ
ହୁତୁ ହୁତୁ ଜାଳି ଦେଲି |
ବାସିଫୁଲ ପରି ମଉଳି ଗଲି ମୁଁ
ମରଣ ପାରିନି ଜିତି
ଝିଅଟିଏ ବୋଲି ତୁଚ୍ଛାଟା'ରେ ଖାଲି
ଇଜ୍ଜତ ହୋଇଲା ଇତି |
ଏଥର କରିବି ଆତ୍ମ ନିୟନ୍ତ୍ରଣ
ଗୁଣିଗୁଣେ ହେବି ଗଣା
ବ୍ୟର୍ଥ ଜୀବନ ମୋ ଭାବିବିନି କେବେ
ହେବିନାହିଁ ପଥବଣା |
