ମୁଁ ହେବି ହସହସ
ମୁଁ ହେବି ହସହସ
ଡ. ସନତ୍ କୁମାର ମିଶ୍ର
କେତେ ପ୍ରାଣ, କେତେ ସଂଘାତ
କେତେ ଗାମ୍ଭୀର୍ଯ୍ୟ, ଗୌରବ
ଏଇ ମମତାମୟୀ ଭରାନଈର
ମହାନଦୀର
ଚଳଚଞ୍ଚଳ ଢେଉ ତାର ଅଧୀର।
ନିଜ ହାତରେ ଯାହାକୁ ଶିକ୍ଷାଦିଏ
ଆଉ କିଛି ଚାହିଁବା ବାକି ନଥାଏ ତା’ର ।
ଶୌର୍ଯ୍ୟରେ ତା ବୁକୁ ପୂର୍ଣ୍ଣ
ମହତ୍ତ୍ୱରେ ଗରୀୟାନ
ମର୍ଯ୍ୟାଦାରେ ଓଡ଼ିଶାରେ ସକଳ ଉର୍ଦ୍ଧ୍ଵରେ ।
ଏକ ସଙ୍ଗେ ସେ ରହସ୍ୟମୟୀ
ହସେ ଓ ହସାଏ ।
ଆମକୁ ବି ଶାସନ କରେ ।
ତା ନୀଳ ଜଳରାଶିର ବାସିନ୍ଦା
ମାଛ, ହଂସ ଓ ସାରସ
ସ୍ୱର୍ଗୀୟ ଆନନ୍ଦେ ଚିତ୍ତ କରନ୍ତି ଆପ୍ଳୁତ
ଜଳଚାଷୀ ହୁଏ ଉତଫୁଲ୍ଲିତ ।
ଦିନେ ମହାନଦୀକି କହିଲା ମନେମନେ
ମା’ ଏତେ ସୁଖ ଯଦି ତୁ ଦେଉ
ଏତେ ଶକ୍ତି ତୁ ଧାରଣ କରୁ
ଏତେ ଯଦି ତୋର କୃପା
କାହିଁକି ମୋ କୁଡ଼ିଆଖଣ୍ଡକ ତୁ
ଭସାଇ ନେଉ ତୋ କରାଳ ବନ୍ୟାରେ ?
ମହାନଦୀ ତା ତଟରେ
ବାରମ୍ବାର ଆଘାତ କରି କହେ,
ପୁରୁଷ ପୁରୁଷଧରି ମୋ ଗର୍ଭେ
ଜମା ବାଲି ପଟୁମାଟି ଦ୍ୱାରା
ଖର୍ବ ମୋ ଜଳଧାରଣ ଶକ୍ତି ଓ କ୍ଷମତା
ସୃଷ୍ଟିକରେ ବନ୍ୟା ବିଭୀଷିକା ।
ଭାସେ ଶସ୍ୟକ୍ଷେତ୍ରର ସଂପଦ, ମୁଗ ବିରି ଚଣା
କୋଳଥ ଓ ଧାନର ଫସଲ
ଭାସେ ମୋ ତଟରେ ଥିବା ତୁମ ଘରଦ୍ୱାର ।
ମୁଁ ତୁମ ଜୀବନ ରେଖା
ଜୀବନ ନାଟିକା ।
ଧର୍ମ, ସଂସ୍କୃତି ,ସ୍ୱପ୍ନ ସଂକଳ୍ପକୁ
ମୁଁ ଯୋଡ଼ି ପାରେ ଏକା
ମୋ କୂଳେ ଗଢ଼ି ଉଠିଛି ତୁମ ମଣିଷ ସଭ୍ୟତା ।
ମୋ ଜଳକୁ ନେଇ ଏବେ ରାଜ୍ୟରାଜ୍ୟ ମଧ୍ୟେ
ଚାଲିଛି ଟଣାଓଟରା, ଛକାପଞ୍ଝା, ଜନଆନ୍ଦୋଳନ
ବିବଦମାନ ବିବୃତି ଜନନେତାଙ୍କର
କପାଳେ କର ମାରିବା ଛଡ଼ା
ମୋର ନାହିଁ ଗତ୍ୟନ୍ତର ।
ଭାବୁନ କାହିଁକି ,ସର୍ବ ହିତେ ଲାଗୁ ମୋର ଜଳ,
ହେଉ ସୁଷମ ବଣ୍ଟନ, ଅଥବା
ଯେ ଯାହାର ସର୍ବନିମ୍ନ ଆବଶ୍ୟକତା ଦେଖି
ଉପଯୋଗକରୁ ମୋର ଜଳ ।
ସମୁଦ୍ରକୁ ମୋ ଜଳକୁ ଯିବାକୁ ନ ଦେଇ
କର ଜଳପ୍ରକଳ୍ପ ନିର୍ମାଣ ।
କର ବିଦ୍ୟୁତ୍ ଉତ୍ପାଦନ ।
ମୋ ଜଳକୁ ନେଇ ନ ଦେଖାଉ
କେହି ଦାଦାଗିରି
ନ ରହୁ ଏକଚାଟିଆ ଅଧିକାର
କେଉଁ ନିର୍ଦିଷ୍ଟ ରାଜ୍ୟର ।
ତା ’ହେଲେ ମୁଁ ହେବି ହସହସ
ତୁମର ବି ବଢ଼ିବ ଅନ୍ନ ଓ ଆୟୁଷ ।
