ମୁଁ ଭୀଷ୍ମ କହୁଛି
ମୁଁ ଭୀଷ୍ମ କହୁଛି
ମୁଁ ଭୀଷ୍ମ କହୁଛି
ଭୀଷଣ ପ୍ରତିଜ୍ଞାର ହଳାହଳ ଜହର ପିଉଛି,
ନିଇତି ମରି ମୁଁ ଏଠି ନିଇତି ଜୀଉଁଛି
ମୁଁ ଭୀଷ୍ମ କହୁଛି ।
କେଉଁ ଏକ ଅଶୁଭ ଶକୁନେ ପାଇଲି ମୁଁ ଶାପ
ପତିତପାବନୀ କୋଳେ ଜନ୍ମ ନେଲି ସିନା ପାଲଟିଲି କିନ୍ତୁ ମୂକ ଏକ ସ୍ତୁପ
ନୋହିଲା ନିର୍ବାଣ,ଧରି ଧନୁର୍ବାଣ ସାଥିରେ ଶାୟକ
ସାଜିଲି ମୁଁ ମହାଭାରତର ବିବଶ ନାୟକ ।
ଶକ୍ତି ଭରା ପଞ୍ଜରା ମୋହର ହୋଇଲା ପିଞ୍ଜରାବଦ୍ଧ
ପକ୍ଷ ସବୁ କରୁଥିଲା କରୁଣ ଚିତ୍କାର ହୋଇ ହୋଇ ଦଗ୍ଧ
ନିର୍ବିକଳ୍ପ ମୁହିଁ ଧର୍ମାନ୍ଧରେ ହାତେ ଧରି ସତ୍ୟର ଅଙ୍କୁଶ
ପିତରି ପ୍ରୀତିମାପନ୍ନେ ମାତାଜ୍ଞା ପାଳନେ ହୋଇଲି ବିବଶ ।
ଜଳିଜଳି ମରେନାହିଁ ହୁଏନି ନିଶେଷ
ଅଟ୍ଟହାସ୍ୟ କରେ ନିତି ମୋ ବାକି ଆୟୁଷ
ସବୁଥାଇ ନିସ୍ଵ ମୁଁ ନିସଙ୍ଗ ଜୀବନ
ଜୀଇଁବାର ଭାର ବହି କ୍ଳାନ୍ତ ମୁଁ ବିଷଣ୍ଣ ବିବର୍ଣ୍ଣ ।
ଶୂନ୍ୟ ମୁଁ ମହାଶୂନ୍ୟ ଅଚିରେ ହୋଇବି ନାଶ
ତଥାପି ମୁଁ ମାପିନାହିଁ କେବେ ମୋ ବୟସ
ଚାଲୁଅଛି ଅହରହ ନାହିଁ ମୋ ନିସ୍ତାର
ଜୟ ଜୟକାର ଶୁଭେ ଦେଖି ମୋ ବିସ୍ତାର ।
ମଞ୍ଜୁଷାର ସର୍ପ ପରି କରିଲି ଫୁତ୍କାର
ସର୍ବାଙ୍ଗରେ ଖେଳିଗଲା ଖାଲି ହାହାକାର
ନୀରବ ନିସ୍ପନ୍ଦ ମୋର ନିଷ୍ପ୍ରାଣ ପ୍ରତିମା
ନ ପାରିଲା ଡେଇଁ ଇଛି ମୃତ୍ୟୁରେଖା ସୀମା ।
ଯୁଗେଯୁଗେ ଭୀଷ୍ମ ମୁଁ ରହିଅଛି ଜୀଇଁ
ମରିବାକୁ ଚାହିଁ ମଧ୍ୟ ମରି ପାରେ ନାହିଁ
କଠୋର ଏ ଜୀବନର ପଣ
ଅନୁଶାସନରେ ବନ୍ଧା ହୋଇ କରେ ରଣ ।
କଟୀରେ ମୋ କରବାଳ ହାତେ ଧନୁର୍ବାଣ
ଶ୍ରେଷ୍ଠ ତୀରନ୍ଦାଜ ହୋଇ ନ ଥିଲା ନିର୍ବାଣ
ଭାଗ୍ୟ ହାତେ ବନ୍ଧା ମୁଁ ପଡିଛି
ଇଚ୍ଛାମୃତ୍ୟୁ ଲୋଡା ନାହିଁ ମୋର ସ୍ଵାଭାବିକ ମରଣ ଚାହୁଁଛି ।
