ମୁକ୍ତିର ଆନନ୍ଦ
ମୁକ୍ତିର ଆନନ୍ଦ
ଆନନ୍ଦରୁ ଜାତ ଜୀବ କରୁଅଛି ଯାହା
ଭାବୁଛି ଆନନ୍ଦ ପାଇଁ କରୁଛି ସେ ତାହା
କରିବା କରମ ତାକୁ ବନ୍ଧନେ ପକାଏ ।
ସୁଖ ପାଇବ ଭାବି ସେ ଦୁଃଖ ପାଇଥାଏ ।।
ଅବିଦ୍ୟାର ବଶବର୍ତ୍ତୀ ହୋଇ ଥାଏ ରହି
କର୍ମ ବନ୍ଧନରୁ କେବେ ମୁକ୍ତି ପାଏ ନାହିଁ
ସକଳ କର୍ମ ହୁଅଇ ବନ୍ଧନ କାରଣ ।
ବନ୍ଧନରୁ ମୁକତି ସେ ଲଭିବ କେସନ ?
ଅବିଦ୍ୟାର ଦୂର ହେଲେ ତମିସ୍ରା ଅଜ୍ଞାନ
ହତ ହୋଇ ଲଭିବ ସେ ଦିବ୍ଯ ଆତ୍ମଜ୍ଞାନ ।।
ଆତ୍ମଜ୍ଞାନ ଲଭିଲେ ସେ ମୁକ୍ତିର ଆନନ୍ଦ
ଲଭିବ ନାହିଁ ସନ୍ଦେହ ଜ୍ଞାନର ଏ ଭେଦ ll
ହୃଦୟ ମଧ୍ଯରେ ତୁମ ବସିଛନ୍ତି ଶିବ
ତାଙ୍କ ଶରଣରେ ଆସ ମୁକତି ଲଭିବ ।।
ମୁଁ ମୋର ଅହଙ୍କାର ସଦା କର ଦୂର
ମନକୁ ନିର୍ମଳ ଗଙ୍ଗାଜଳ ସମ କର ।।
ଜ୍ଞାନ ବୈରାଗ୍ୟ ସାଧନା ଅଭ୍ୟାସ ଯୋଗରେ
ପ୍ରଭୁ ନାମ ଜପ କର ଆନନ୍ଦ ଚିତ୍ତରେ
କାମନା ବାସନା ଦୂର କରି ଜପ ନାମ
ପୂରଣ ହୋଇବ ନିଶ୍ଚେ ତୁମ ମନସ୍କାମ ll
ଭକତି ଭାବରେ ହେବେ ଭଗବାନ ବଶ
ଗୁରୁ ରୂପେ ଉପଗତ ହେବେ ଆସି ପାଶ
ପାଇଲେ ତାଙ୍କ ଦର୍ଶନ କରମ ବନ୍ଧନ
ଫିଟିଯିବ କଲେ ତାଙ୍କୁ ଆତ୍ମ ସମର୍ପଣ ।।
ଚତୁର୍ବର୍ଗ ମୁକ୍ତି ଆସି ପହଞ୍ଚିବେ ପାଶେ
ମୁକ୍ତିର ଆନନ୍ଦ ତୁ ଲଭିବୁ ଅବଶେଷେ
ମୁକ୍ତିର ଆନନ୍ଦ ଥରେ ପାଇଗଲା ପରେ
ମନ ନପଡିବ ସଂସାରର ବନ୍ଧନରେ ।।
ସ୍ବଦେହରେ ବିଦେହର ଆନନ୍ଦ ମିଳିବ
ମୁକ୍ତି ହରି ଲକ୍ଷ୍ମୀ ସେବା ସଦା ମିଳୁଥିବ
ଆନନ୍ଦରୁ ଜାତ ତୋର ଆନନ୍ଦରେ ଲୀନ
ହୋଇବୁ ଦିନେ ନା ଦିନେ ଏହା ମନେ ଘେନ ।।
