ମୁହଁ ଦେଖା
ମୁହଁ ଦେଖା
ମୁହଁ ଦେଖିବାକୁ ସମସ୍ତେ ଚାହାଁନ୍ତି
ଏ ମୁହଁରେ କ"ଣ ଥାଏ
ମୁହଁଟାରେ ସତେ କି ଯାଦୁ ଅଛିରେ
ଆଖି ତାହା ଆଡେ ଧାଏଁ ।
ମୁହଁ ନ ଦେଖିଲେ କା' ପାଟିରୁ ପଦେ
କଥା ତ ବାହାରେ ନାହିଁ
ପାଟି କହୁଥାଏ ଆଖି ଚାହିଁ ଥାଏ
ମୁହଁ ଦେଖୁଥାଏ ରହି ।
ଆଢୁଆଳେ କଥା ଯଦି କିଏ କୁହେ
ପାଦ ସେ ଆଡକୁ ଯାଏ
ତା ମୁହଁ ଦେଖି ତାକୁ ଚାହିଁ ସିଏ
କଥା ପଦେ କହି ଦିଏ ।
ଆଜି ଯଦି କିଏ କାହାକୁ ଚିହ୍ନୁଛି
ଏଇ ମୁହଁ ଦେଖା ପାଇଁ
ବିନା ମୁହଁରେ କି କୁହ କେବେ କିଏ
କାହାକୁ କି ଚିହ୍ନି ଥାଇ ।
ମୁହଁ ଦେଖାରୁ ସେ ତାହାକୁ ଚିହ୍ନଇ
ହୃଦୟରେ ରଖି ଥାଏ
ଯୋଉଠି ଯେବେ ବି ଦେଖା ହୁଏ ତାର
ସେ ମୁହଁରୁ ଚିହ୍ନି ଯାଏ ।
ମୁହଁ ଦେଖିବାଟା ଶୁଭ ସଂକେତ କି
ଭାବୁଛି ମୁଁ ମନେ ମନେ
ବିନା ମୁହଁ ଦେଖି କିଏ କାହାକୁ କି
ଆପଣାର କେବେ ମଣେ ।
ମନ୍ଦିରକୁ ଯାଅ ଶ୍ମଶାନକୁ ଯାଅ
ଯାଅ ବା କାହା ଘରକୁ
ପ୍ରଥମେ ତାହାର ମୁହଁକୁ ଦେଖିଣ
କରାଯାଏ ପ୍ରଣାମକୁ ।
ବାସ୍ତବ ଜୀବନେ ବିବାହ ପୂର୍ବରୁ
କନ୍ୟା ମୁହଁ ଦେଖାଯାଏ
ଦେଖିବା ସମୟେ ମୁହଁ ଦେଖା ପାଇଁ
ତାର ପ୍ରାପ୍ୟ ଦିଆଯାଏ ।
ବିବାହ ପରେ ବୋହୁ ମୁହଁ ଦେଖା
ଉପହାର ଦିଆଯାଏ
ବିନା ଉପହାରେ ନା ଆତ୍ମୀୟ ଲୋକ
ମୁହଁ କେବେ ଦେଖି ଥାଏ ।
ମନ୍ଦିର ଦର୍ଶନ ସମୟେ ପ୍ରଥମେ
ଆଖି ଖୋଜୁ ଥାଏ ମୁହଁ
ମୁହଁ ଦେଖି ଦେଲେ କେତେ ଖୁସି
ଲାଗେ ଛାତିରେ ଭରଇ କୋହ ।
ସେ ମୁହଁରେ ସତେ କି ଯାଦୁ ଅଛିରେ
ନା ଭୁଲି ଥାଏ କିଏ
ଯେତେ ଦୂରେ ଯିଏ ଯେବେ ଦେଖା ହୁଏ
ଏ ମୁହଁ ଚିହ୍ନାଇ ଦିଏ ।
ଛପନ କୋଟି ତ ଜୀବଜନ୍ତୁ ଏଠି
ବାସ କରିଛନ୍ତି ରହି
କାହା ମୁହଁ ଆକୃତି କାହା ସହିତ କି
ମିଶିବା ଦେଖିଛ କାହିଁ ?
ମନେ ପଡେ ମହାଭାରତ ସମୟେ
ଦୁଇ ଭାଇ ଯାଇଥିଲେ
ଜଣେ ମୁହଁ ପାଖେ ଜଣେ ପାଦ ପାଖେ
ବସି ଅପେକ୍ଷା କରିଲେ ।
ପ୍ରଭୁଙ୍କ ଶୟନ ଭଙ୍ଗ ହେଲା ଯେବେ
ଖୋଲିଲେ ନୟନ ବେନି
ଦେଖିଲେ ପାଦର ପାଖେ ବସିଛନ୍ତି
ବୀର ପାର୍ଥ ଫାଲୁଗୁନି ।
ଅଭୟ ବଚନ ଦେଲା ପରେ ସେଇ
ଅଭିମାନୀ ଦୁର୍ଯ୍ୟୋଧନ
ମୁଁ ବି ଆସିଛି ତୁମ ପାଖେ ତୁମେ
କଥା ଦେଲ ଯେ ଅର୍ଜୁନ ।
ସେଇଠେ ଶ୍ରୀକୃଷ୍ଣ କହି ଥିଲେ ହସି
ମୋ ଆଖି ଦେଖିଲା ତାଙ୍କୁ
ପ୍ରଥମେ ଅର୍ଜୁନ ମୁହଁ ଦେଖା ଦେଖି
ଦେଲି ମୁହିଁ ବଚନକୁ ।
ଯେତେ ବ୍ରହ୍ମଚାରୀ ଗୁଣୀ ଜ୍ଞାନୀ ହେଉ
ଆଗ ସେ ମୁହଁକୁ ଚାହେଁ
ତାପରେ ଯାଇ ପଲକ ପକେଇ
ଧୀରେ ଧୀରେ କଥା କୁହେ ?
ଏମିତି କିଏ ବି କୋଉଠି ତ ନାହିଁ
କରି ନାହିଁ ମୁହଁ ଦେଖା
ଯୋଗୀ ଋଷି ମୁନୀ ଯିଏ ବା ହୁଅନ୍ତି
ଟପନ୍ତି ସେ ସୀମା ରେଖା ।
ଯୋଉ ପୋଥି ଅବା ପୁରାଣଙ୍କୁ ଖୋଲ
ଅଛି ସେଠି ମୁହଁ ଦେଖା
ବିନା ମୁହଁ ଦେଖେ ନା କିଏ ଫେରିଛି
ହେଇଛି କାହାର ଲେଖା ।
ମୁହଁ ଦେଖା ବିନା କିଏ କେବେ କାହା
ସାଥିରେ କି କଥା ହୁଏ
କଥା ହେଲା ବେଳେ କଣେଇ କଣେଇ
ତା ମୁହଁକୁ ଦେଖୁ ଥାଏ ।
ଏମିତି ଗୋଟିଏ ଯନ୍ତ୍ର ଅଛି ଆମ
ମୋବାଇଲ୍ ନାଆଁ ତାର
ମୁହଁ ନ ଦେଖି କି ସେଇଥିରେ କଥା
ହେଉଥାନ୍ତୁ ବାରମ୍ବାର ।
ମୁହଁ ଦେଖା ଗୋଟେ ଏମିତି ଗୋଟିଏ
ନା ତାକୁ ଭୁଲି ହୁଏ
ବିନା ମୁହଁ ଦେଖି ନା କାହା ସାଥେ
କିଏ କଥା କହି ଥାଏ ।
